ନବ ନିର୍ବାଚିତ ଭାଜପା ସଭାପତି ମନମୋହନ ସାମଲ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ସଂକେତ ଦେଇଛନ୍ତି । ବର୍ଷ ପୂର୍ତି ଉପଲକ୍ଷେ ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ସମାନ ସଂକେତ ଦେଇଥିଲେ । ଯେତେବେଳେ ମୋହନ ଓ ମନମୋହନ ଯୋଡ଼ିଙ୍କଠାରୁ ବହୁ ପ୍ରତୀକ୍ଷିତ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଖବର ଆସୁଛି, ସେଦୃଷ୍ଟିରୁ ଦୃଷ୍ଟିରୁ ଏହା ଆଉ ବେଶୀ ଡେରି ନାହିଁ ବୋଲି ମନେକରାଯାଉଛି । ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଉଭୟ ମୋହନଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା ହେବାକୁ ଯାଉଛି। ଏକ ଅସମ୍ପୂର୍ଣ୍ଣ ମନ୍ତ୍ରୀ ମଣ୍ଡଳର ନେତୃତ୍ବ ନେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏହାକୁ ନେଇ ସେ ୧୩ ମାସ ବିତେଇ ସାରିଲେଣି। ୬ଟି ମନ୍ତ୍ରୀ ପଦ ଖାଲିପଡ଼ିଛି। ଜଣେ ମନ୍ତ୍ରୀ ଏକାଧିକ ବିଭାଗ ସମ୍ଭାଳୁଛନ୍ତି। କାର୍ଯ୍ୟ ଚାପ ବଢ଼ିଛି । ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମନ୍ତ୍ରୀ ସଚିବ ଏକାଧିକ ବିଭାଗ ବୁଝୁଥିବାରୁ କାର୍ଯ୍ୟ ଚାପ ରହୁଛି। ପ୍ରଥମେ ଯେତେବେଳେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିଲା, ସେତେବେଳେ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ମନୋନୀତ ୪ଥରର ବିଧାୟକ ମୋହନଚରଣ ମାଝୀ ଭିନ୍ନ ଦୃଷ୍ଟିରୁ ଦେଖିବାକୁ ଅଭିଜ୍ଞ ନଥିଲେ। ନିଜ ନିର୍ବାଚନମଣ୍ଡଳୀ ଭଲ ତ ସେ ଭଲ। ତେଣୁ ବିଧାୟକଙ୍କ ଭିତରୁ ତାଙ୍କ ସମର୍ଥକଙ୍କ ସଂଖ୍ୟା କମ ଥିଲା । ତେଣୁ ପ୍ରଥମ ମନ୍ତ୍ରିମଣ୍ଡଳ ତାଙ୍କ ଇଚ୍ଛାନୁସାରେ ଗଢ଼ା ହେବାର ଅବକାଶ ବି ନଥିଲା। ମୁଖ୍ୟତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ମନ୍ତ୍ରିମଣ୍ଡଳ ଗଠନ ଓ ବିଭାଗ ବଣ୍ଟନରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କର ଧାରଣା ଥିଲା ଯେ ତାଙ୍କ ନିଯୁକ୍ତି ପଛରେ ଧର୍ମେନ୍ଦ୍ର ବାବୁଙ୍କ ହାତ ଅଛି। ଅନେକ ମନ୍ତ୍ରୀ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ଯେଉଁ ୧୫ ଜଣ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ କେବଳ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କର ମନ୍ତ୍ରୀ ଭାବେ ଅଭିଜ୍ଞତା ଥିଲା । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଥମ ଥରର ବିଧାୟିକା। ଏକାଧିକବାର ନିର୍ବାଚିତ ମନ୍ତ୍ରୀମାନେ ହେଲେ କୃଷ୍ଣଚନ୍ଦ୍ର ପାତ୍ର, ସୂରଜ ସୂର୍ଯ୍ୟବଂଶୀ, ରବି ନାଏକ ଏବଂ ମୁକେଶ ମହାଲିଙ୍ଗ। ତେଣୁ ଅଭିଜ୍ଞତା ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳକୁ ସବୁଠୁ ଅନଭିଜ୍ଞ ବୋଲି କୁହାଯାଇପାରେ। ଏବେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କଥା ଉଠୁଥିବାରୁ କିଛି ବିକଳ୍ପ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିବ। ଯେହେତୁ ସ୍ଥାୟୀ ସଭାପତି ନିର୍ବାଚିତ ହୋଇ ନଥିଲେ, ସେଦୃଷ୍ଟିରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଅଧିକ ବିବାଦ ସୃଷ୍ଟି କରିଥାନ୍ତା। ମନମୋହନ ପୁନଃ ସଭାପତି ହେବା କାରଣରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଅଧ୍ୟକ୍ଷ ପଦ ପୂରଣ ବାଟ ଫିଟିଛି। ନିଗମ ପାଇଁ ପୂର୍ବରୁ ଏକ ଫର୍ମୁଲା ଚୂଡ଼ାନ୍ତ ହୋଇସାରିଛି। ଫର୍ମୁଲାଟି ହେଲା ଯେଉଁମାନେ ଗତ ନିର୍ବାଚନରେ ଅତି ଅଳ୍ପ ଭୋଟରେ ହାରିଛନ୍ତି, ନିର୍ବାଚନ ନଲଢ଼ି ସାଂଗଠନିକ କାର୍ଯ୍ୟ କରିଛନ୍ତି ଏବଂ ଯେଉଁଠି ବିରୋଧୀ ଦଳର ଦବ୍ଦବା ଅଛି ସେସବୁ କ୍ଷେତ୍ରର ଭାଜପା ନେତାଙ୍କୁ ନିଗମଗୁଡ଼ିକରେ ଥଇଥାନ କରାଯିବ। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖରେ ରଖ୍ ଏଭଳି କରାଯିବା ପାଇଁ ପୂର୍ବରୁ ଏକାଧିକ ବୈଠକରେ ଆଲୋଚନା ହୋଇସାରିଛି। କିନ୍ତୁ ସମସ୍ୟା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ବେଳେ ଆସିବ। ଯେହେତୁ ସଂଖ୍ୟାଗରିଷ୍ଠ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁଗତ ବୋଲି ବିବେଚନା କରାଯାଉଛି, ସେମାନଙ୍କ ଭିତରୁ କାହାକୁ ବାଦ ଦେଲେ କ୍ରିୟା ପ୍ରତିକ୍ରିୟା ସ୍ୱାଭାବିକ ଭାବେ ସୃଷ୍ଟି ହେବ । ଖାଲି ପଡ଼ିଥିବା ୬ଟି ଆସନ ସକାଶେ ମନ୍ତ୍ରୀ ବାଛିବା ସହଜ। ଦୁଇ ମୋହନଙ୍କ ଭିତରେ ଆଲୋଚନାରେ ଏଭଳି ଖାଲି ସ୍ଥାନ ପୂରଣ କରିଦେଇପାରିବେ। ସେତେବେଳେ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରୀ ପ୍ରତିନିଧିତ୍ବର କଥା ଆସିବ। କିନ୍ତୁ ଚ୍ୟାଲେଞ୍ଜ ଆସିବ କାହାକୁ ବାଦ ଦିଆଯିବାକୁ ନେଇ। ମୁଖ୍ୟମନ୍ତ୍ରୀ ଇତି ମଧ୍ୟରେ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତା ବାବଦରେ ସମୀକ୍ଷା କରିଛନ୍ତି। ଏହାକୁ ଆଧାର କରି ଯେତେବେଳେ କୌଣସି ମନ୍ତ୍ରୀଙ୍କୁ ବାଦ ଦେବେ ସେତେବେଳେ ପୂର୍ବ ସନ୍ତୁଳନ ପ୍ରଭାବିତ ହେବ। ଅନେକ ମନେକରନ୍ତି ଯେ ଏଭଳି ପଦକ୍ଷେପ ଧର୍ମେନ୍ଦ୍ର ଗୋଷ୍ଠୀଙ୍କ କ୍ଷମତା ସଂକୁଚିତ କରିବ । ତେଣୁ ସବୁକିଛି ଭାବି ଚିନ୍ତି ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଉତ୍ସାହ ସୃଷ୍ଟିକାରୀ ମନ୍ତ୍ରୀମଣ୍ଡଳ ଗଠନ ଦାୟିତ୍ବ ଦୁଇ ମୋହନଙ୍କ ଉପରେ। ଅନେକ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠିଲାଣି। କିଛି ମନ୍ତ୍ରୀ ନିଯୁକ୍ତି ଓ ବଦଳିରେ ଅର୍ଥ କାରବାରରେ ସମ୍ପୃକ୍ତ ବୋଲି ବଜାରରେ ଚର୍ଚ୍ଚା ହେଉଛି। ଏଣୁ ଏକ ଉତ୍ତରଦାୟୀ ଚମକଦାର ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଯେଉଁ ସୁଯୋଗ ଆସିବ, ତାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯେତି କି ଚ୍ୟାଲେଞ୍ଜଭରା ହେବ, ସଭାପତିଙ୍କ ପାଇଁ ମଧ୍ଯ କମ ହେବ ନାହିଁ । Post navigation ନିର୍ଭୟ ପ୍ରଭାବ; ସ୍ମାର୍ଟ ସ୍କୁଲରୁ ନବୀନ ଟ୍ୟାବ୍ ଫେରାଇନେଲେ ଅଧିକାରୀ ଆଜି ସୁଦ୍ଧା ଡ୍ରାଇଭର୍ଙ୍କ ସମସ୍ୟା ହେବ ସମାଧାନ: ଯୋଗାଣ ମନ୍ତ୍ରୀ