କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦେଇଛି। ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ ୱାଇବି ଖୁରାନିଆଙ୍କୁ ପଦରୁ ମୁକ୍ତ କରାଯାଇ ନିଜ ନିଜ ରାଜ୍ୟକୁ ପଠାଇଦିଆଯାଇଛି । ସ୍ୱତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କୁ ଓଡ଼ିଶା କ୍ୟାଡରକୁ ପଠାଇ ଦିଆଯାଇଥିବା ବେଳେ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ କେରଳ ପଠାଯାଇଥିବା ସୂଚନା ରହିଛି ।

ଜମ୍ମୁ ସେକ୍ଟରରେ ଅନୁପ୍ରବେଶ ବଢ଼ୁଥିବାରୁ ନୀତିନ ଅଗ୍ରୱାଲଙ୍କୁ ବିଏସଏଫ ଦାୟିତ୍ୱରୁ ମୁକ୍ତ କରାଯାଇଥିବା ଅନୁମାନ କରାଯାଉଛି। ସେହିପରି ୱା.ବି ଖୁରନିଆ ଓଡ଼ିଶା ଆସିବା ପରେ ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ମିଳିପାରେ ବୋଲି କୁହାଯାଉଛି।

୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ହେଉଛନ୍ତି IPS ୱାଇ.ବି ଖୁରାନିଆ। ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ। ମୂଳ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଖୁରାନିଆ ନୂଆଦିଲ୍ଲୀସ୍ଥିତ ବିଏସଏଫ ମୁଖ୍ୟାଳୟର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ। ବିଏସଏଫର ସ୍ୱତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡରକୁ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି ବୋଲି ଶୁକ୍ରବାର କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *