ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନାଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ଶ୍ରୀ ପୂଜାରୀ କହିଥିଲେ, ଓଡ଼ିଶାରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ। ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ। କାରଣ ସରକାରକୁ ଆସିବାର ୧୨୦ ଦିନ ବିତିଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗା ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି। ଉଦାହରଣ ସ୍ୱରୂପ, ଗତ ଦୁଇଦିନ ହେଲା ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ଥିବା ଏକ ପୋଷ୍ଟର ଲଗାଯାଇଛି ଓ ସମାନ ପୋଷ୍ଟର ମଧ୍ୟ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମଧ୍ୟ ଲଗାଯାଇଛି। ସାରା ରାଜ୍ୟବାସୀ ଜାଣନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମା ସମଲେଶ୍ୱରୀ ପୀଠର ରୂପାନ୍ତରୀକରଣକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରାଯାଇଥିଲା। ସେହିପରି, ଛାପୁର ବ୍ରିଜ ମଧ୍ୟ ତାଙ୍କ ସମୟରେ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି। ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାନ୍ତୁ, ସେଥିରେ ଅସୁବିଧା ନାହିଁ। କାମ ନକରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟା କଲେ ଲୋକ ଗ୍ରହଣ କରିବେ ନାହିଁ।

ସେହିପରି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି। ପ୍ରଥମେ ଏପରି କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ, ପରେ ଏହା ବିଚାରାଧୀନ ଅଛି ବୋଲି କହିଲେ। ସରକାର ସ୍ପଷ୍ଟ କରନ୍ତୁ, କେବେ ଏହି ବେଞ୍ଚ ପ୍ରତିଷ୍ଠା ହେବ। ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭର୍ସିଟି ମାନ୍ୟତା, ଭିସୁଟକୁ ଆଇଟିଆଇର ମାନ୍ୟତା ଇତ୍ୟାଦିର କାମ ରହିଛି। ଏହିସବୁ କାମ କରି ସରକାର ନିଜର ପ୍ରଚାର କରନ୍ତୁ, ମନା ନାହିଁ। କିଛି କାମ ନକରି କେବଳ ପୋଷ୍ଟର ବ୍ୟାନର ମାରିଲେ ଲୋକେ ଗ୍ରହଣ କରିବେ ନାହିଁ। ଛତିଶଗଡ଼ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାରେଜଗୁଡ଼ିକ ହୀରାକୁଦ ଡ୍ୟାମ ପ୍ରତି ବିପଦ ସୃଷ୍ଟି କରୁଛି। ବର୍ତ୍ତମାନ ଓଡିଶା ଛତିଶଗଡ ଓ କେନ୍ଦ୍ରର ବିଜେପି ସରକାର ଥିବାରୁ ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହି ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ନକରି ପ୍ୟାକେଜ ଘୋଷଣା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ଶ୍ରୀ ପୂଜାରୀ କହିଥିଲେ।

Leave a Reply

Your email address will not be published. Required fields are marked *