ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ସେହି କ୍ରମରେ ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ। ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବା ଏବଂ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥମେ ରାଜ୍ୟ, ଜିଲ୍ଲା, ମଣ୍ଡଳ ଓ ବୁଥସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କର୍ମଶାଳା ।

ଆସନ୍ତାକାଲି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଶ୍ରୀ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ। ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୫, ୨୬ ଓ ୨୭ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ସମାପ୍ତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି ।

ସର୍ବଭାରତୀୟ ସଦସ୍ୟତା ଅଭିଯାନ ପାଇଁ ଗତ ୧୭ ଓ ୧୮ ତାରିଖ ଦିନ ଦିଲ୍ଲୀରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ରାଷ୍ଟ୍ରୀୟସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ। ସର୍ବପ୍ରଥମେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଆରମ୍ଭ ହେବ ସଦସ୍ୟତା ଅଭିଯାନ। ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ। ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନା କରିବେ କାର୍ଯ୍ୟକର୍ତ୍ତା । ୧୮ ବର୍ଷରୁ ଊର୍ଦ୍ଧ୍ଵ ନାଗରିକ ସଦସ୍ୟ ହୋଇପାରିବେ । ଓଡିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହାଇଛି। ଚଳିତ ଥର ରାଜ୍ୟରେ ୧ ଲକ୍ଷ ‘ସକ୍ରିୟ ସଦସ୍ୟ’ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରାଜ୍ୟରେ ସଦସ୍ୟତା ଅଭିଯାନର ମୁଖ୍ୟ ଭାବେ ବରିଷ୍ଠ ନେତା ଶ୍ରୀ ରଞ୍ଜନ ପଟେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

Leave a Reply

Your email address will not be published. Required fields are marked *