ବିରାଟ ପଟୁଆରାରେ ନାମାଙ୍କନ ଭରିଲେ ମନମୋହନ ସାମଲ ଏବଂ ସୁଜିତ କୁମାର । ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିଜେପିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ବିଧାନସଭାରେ ଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ ।

ଏହାସହ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଆସନ ପାଇଁ ବିଜେପି ତାଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛି। ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ମୁଁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭବ୍ୟ ଶୋଭାଯାତ୍ରାରେ ଭାଜପା ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୦୨ ଭଳି ଏଥର ମଧ୍ୟ ଜିତିବେ ବୋଲି ଦିଲ୍ଲୀପ କହିଛନ୍ତି । ବିଜେଡ଼ି ଓ କଂଗ୍ରେସ ଭଳି ସେ ମଧ୍ୟ ହାତ ମିଳାଇବାକୁ କହିଛନ୍ତି ।

ସୂଚନା ଯୋଗ୍ୟ; ନାମାଙ୍କନ ଦାଖଲ ପୂର୍ବରୁ ଦୁଇ ନେତା ମନମୋହନ ଏବଂ ସୁଜିତ କୁମାର ଉଭୟ ଦଳୀୟ କାର୍ଯ୍ୟାଳୟରୁ ବାହାରି ପ୍ରଥମେ ରାମମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଭଗବାନଙ୍କ ଆଶୀର୍ବାଦ ନେଇ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ବାହାରିଥିଲେ । ବିଜେପି ପୁଣି ତାର ଶକ୍ତି ପ୍ରଦର୍ଶନ କରିଥିଲା । ଦୁଇ ପ୍ରାର୍ଥୀ ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବାଜା ବଜାଇ ବିଧାନସଭା ପରିସରରେ ପହଁଚିଥିଲେ । ଉଭୟ ପ୍ରଥମେ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ଠିକ୍ ଅପରାହ୍ନ ୨ଟା ସମୟରେ ଉଭୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି ଏହା ପୂର୍ବରୁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଥିଲେ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *