ଆସନ୍ତା ୮, ୯ ଓ ୧୦ ତାରିଖ ତିନି ଦିନ ଧରି ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଯୋଗୁଁ ଓଡ଼ିଶାର ପ୍ରଚାର ବିଶ୍ୱ ସ୍ତରରେ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ଗତ ୩ ମାସ ହେଲାଣି ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଏହା ହେଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ । ପାଖାପାଖି ୧୬୦ଟି ଦେଶରୁ ପ୍ରବାସୀ ଭାରତୀୟ ଅତିଥି ଆସିବେ । ଏହାଦ୍ୱାରା ଓଡ଼ିଶାରେ ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରଂପରାକୁ ବ୍ୟାପକ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିଯୋଗୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ । ଅନ୍ୟ ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହି ୩ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀଙ୍କ ସମେତ ଦେଶ ତଥା ବିଦେଶରୁ ଅନେକ ମାନ୍ୟଗଣ ଅତିଥି ଆସିବେ । ଅତିଥିମାନଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ବିଜେପି କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ଅଛନ୍ତି । ରାଜଧାନୀ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ସଫାସୁତୁରା କରାଯାଉଛି । ଆଜି ୬ ଏବଂ ଆସନ୍ତାକାଲି ୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା; ବିଶେଷ ଭାବେ ଡାକ୍ତରଖାନା, ରେଳ ଷ୍ଟେସନ, ବସଷ୍ଟାଣ୍ଡ, କୋର୍ଟ ପରିସର, ସାଧାରଣ ସ୍ଥାନଗୁଡିକରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ୩ ଦିନ ଧରି ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି । Post navigation ଦକ୍ଷିଣ ଓଡ଼ିଶାକୁ ଗୁରୁତ୍ୱ; ରାୟଗଡ଼ା ରେଳମଣ୍ଡଳର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଜାନୁଆରି ୮ ଓ ୯ ତାରିଖରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ