BJD slams odisha govt for inaction against culprits
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ଏବଂ ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ମାରିଦେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ କିରୋସିନ ଢାଳି ହୋଇ ଆତ୍ମାହୂତି ଦେବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଘଟଣାରେ ସରକାରଙ୍କ ନିଷ୍କ୍ରିୟତା ଓ ପୋଲିସ୍ ବିଭାଗର ଦାୟିତ୍ୱହୀନତାକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
 
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ମୁଖପାତ୍ର ଇପ୍ସୀତା ସାହୁ ଓ ସୋଫିଆ ଆଲାମ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପୋଲିସ୍ ର ନିଷ୍କ୍ରିୟତା ଓ ଦୁର୍ବଳ ଶାସନ ପାଇଁ ପୁଣି ଜଣେ ଛାତ୍ରୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛି ବିଜେପି ସରକାର । ଆଉ କେତେ ଜଣ ଜଳିଲେ, ଏ ସରକାର ଚେତିବେ ବୋଲି ବିଜେଡି ପ୍ରଶ୍ନ କରିଛି ।
 
ବିଜେପି ସରକାରକୁ ଆସିବା ପରେ ଶାନ୍ତିପ୍ରିୟ ଓଡ଼ିଶାରେ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ପୀଡ଼ିତା ଛାତ୍ରୀ ଜନୈକ ଯୁବକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଲା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗକୁ ପୋଲିସ୍ ଗ୍ରହଣ ନ କରି, ଯେଉଁ ନମ୍ବରରୁ ତୁମକୁ ଫୋନ୍ କଲ୍ କିମ୍ବା ମେସେଜ୍ ଆସୁଛି, ସେ ନମ୍ବରକୁ ବ୍ଲକ କରି ନିରାପଦରେ ରହିବା ପାଇଁ ପରାମର୍ଶ ଦେଇଥିଲେ, ଏହା ପୋଲିସ୍ ର କର୍ତ୍ତବ୍ୟ ପାଳନରେ ଚରମ ଅବହେଳା ନୁହେଁ କି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।
 
ଆମର ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ପୋଲିସ୍ ମହାନିର୍ଦ୍ଧେଶକଙ୍କୁ ଜିରୋ ଏଫଆଇଆର ରେଜିଷ୍ଟ୍ରେସନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ, ସେ ନିର୍ଦ୍ଧେଶକୁ କ’ଣ ପାଇଁ ପୋଲିସ୍ ଓ ଡିଜିପି କାର୍ଯ୍ୟକାରୀ କଲେ ନାହିଁ? ଯଦି ପୋଲିସ୍ ପୀଡ଼ିତାଙ୍କ ଏତଲାକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତାହେଲେ ଆଜି ଆଉ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇ ଥାଆନ୍ତା । ପୀଡ଼ିତା ମୃତ୍ୟୁବରଣ କଲା ପରେ କେନ୍ଦ୍ରାପଡ଼ା ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଠାରୁ ମୁଁ ତଦନ୍ତ ଦାୟିତ୍ୱ ହାତକୁ ନେଉଛି । ଆମର ପ୍ରଶ୍ନ ଏପର୍ଯ୍ୟନ୍ତ ପୋଲିସ୍ ତଦନ୍ତ ଦାୟିତ୍ୱ କେଉଁ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା କରାଉଥିଲେ କି?
 
ଏସପିଙ୍କ ବୟାନରୁ ଜଣାପଡୁଛି, ପୋଲିସ୍ ତା’ କାର୍ଯ୍ୟରେ ଶତପ୍ରତିଶତ ଅବହେଳା କରିଛି । ପୋଲିସ୍ ର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇବାରେ ଅସହାୟ । ଏହି ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ ଏବଂ ଅପାରଗ ପୋଲିସ୍ ମହାନିର୍ଦ୍ଧେଶକ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *