କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ । ସେ ନିଜର ଇସ୍ତଫା ପତ୍ର ମେଲ୍ ଯୋଗେ ଏଆଇସିସିକୁ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ପଟ୍ଟନାୟକ ସେ କହିଛନ୍ତି କଂଗ୍ରେସରେ ପ୍ରେଷ୍ଟିଜ ନାହିଁ । ଦଳରେ ମୋର କୌଣସି ପ୍ରେଷ୍ଟିଜ ନାହିଁ କି ମୋର ସ୍ଥାନ ନାହିଁ। ମୁଁ ଅନୁଭବ କଲି ଦଳ ପାଇଁ ମୁଁ କିଛି ଦରକାରୀ ହେଉନି ତ ମୁଁ ଦଳରୁ ଇସ୍ତଫା ଦେଲି । ସେ ଆଉ ମଧ୍ୟ କହିଛନ୍ତି ଆଉ କୌଣସି ଦଳକୁ ମୁ ଯିବି ନାହିଁ । କେବଳ ଲୋକଙ୍କ ପାଖକୁ ଯିବି ଲୋକଙ୍କ ସେବା କରିବି । ୧୯୭୬ ବ୍ୟାଚର ବିଜୟ ପଟ୍ଟନାୟକ ପୂର୍ବତନ ଆଇଏଏସ୍ ଅଧିକାରୀ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ୨୦୧୦ ସେପ୍ଟେମ୍ବରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୦୧୩-୧୪ରେ ସେ ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକସନ କମିସନ ଅଧ୍ୟକ୍ଷ ଓ ୨୦୧୪-୧୫ରେ ଓଡିଶା ମାନବଧିକାର କମିସନର ସଦସ୍ୟ ରହିଥିଲେ। ୨୦୧୫ ଏପ୍ରିଲରେ ସେ ବେଦନ୍ତା ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨୦୧୭ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୨୩ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ରେ ମିଶିବା ପରେ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ପରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଥିଲା କଂଗ୍ରେସ । ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ। Post navigation ଓଡ଼ିଆ ‘ଦମନ’କୁ ମିଳିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା; ୧୦ ବର୍ଷ ପରେ ହେବ ନିର୍ବାଚନ