ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିବା ସହ ଗିରଫ କରିଥିବା ମାମଲାର କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ; ଶନିବାର ରାତିରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ଫେରୁଥିଲେ ସମୟରେ ଯୁବକ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇଥିଲେ। ସେମାନେ ସେନା ଅଧିକାରୀଙ୍କୁ ଧକ୍କା ମାରିବା ସହ ଧମକ ଦେଇ ଚାଲିଯାଇଥିଲେ। ଏହି ଅଭିଯୋଗ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୁଲିସ ଓଲଟା ଅଭିଯୋଗକାରୀଙ୍କୁ ଦେଇଥିଲା ଅକଥନୀୟ ନିର୍ଯାତନା। ଏହି ଭଳି କିଛି ଅଭିଯୋଗ ଆଣିଛନ୍ତି ପୂର୍ବତନ ସେନା କର୍ମଚାରୀ ସଂଘ।

ଅଭିଯୋଗ ଅନୁଯାୟୀ ଏହି ସମୟରେ ଡିସିଓ ନଥିବା ବେଳେ ଜଣେ ପୁରୁଷ କନ୍‌‌ଷ୍ଟେବଳ ବସିଥିଲେ। ତାଙ୍କ ଅଭିଯୋଗ ରଖିବାକୁ କୌଣସି ଅଫିସରକୁ ଆସିବାକୁ କହିଥିଲେ। ସେତେବେଳେକୁ ଉକ୍ତ କନ୍‌‌ଷ୍ଟବଳ ନିଶାସକ୍ତ ଅବସ୍ଥାରେ ରହିଥିଲେ। ଏହି ସମୟରେ ଆଉ ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ସେଠାକୁ ଆସିଥିଲେ। ସେନା ଅଧିକାରୀ ଅଭିଯୋଗ ରଖିବା ଲାଗି ତାଙ୍କୁ କହିଥିଲେ। ମହିଳା ଅଫିସର ଜଣଙ୍କ କିଛି ଶୁଣିନଥିଲେ। ଏହାପରେ ଅଙ୍କିତା ଓ ମହିଳା ଅଫିସରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବାହାରେ ପାଟ୍ରୋଲିଂ କରୁଥିବା ଭ୍ୟାନ୍‌‌ ଆସି ସେନାଧିକରିଙ୍କୁ ତାଙ୍କ ପ୍ୟାଣ୍ଟ, ସାର୍ଟ ଖୋଲି ହାଜତରେ ବସାଇ ଦେଇଥିଲେ।

ଏହାପରେ କେଉଁ ଅଭିଯୋଗ ଆଧାରରେ ତାଙ୍କୁ ହାଜତରେ ରଖିଲ ବୋଲି ତାଙ୍କ ବାନ୍ଧବୀ ଅଭିଯୋଗ କରିବା ପରେ ପୁଣି ମହିଳା ଅଫିସର ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଅଙ୍କିତା ବାହାରକୁ ଆସୁଥିବା ବେଳେ ୩ରୁ ୪ଜଣ ପୁଲିସ ତାଙ୍କ ଚୁଟି ଘୋଷାଡ଼ି ଏକ ରୁମ୍‌‌ ଭିତରକୁ ନେଇଯାଇଥିଲେ। ସେଠାରେ ଓଢ଼ଣୀରେ ତାଙ୍କ ହାତକୁ ବାନ୍ଧି ଦେଇଥିଲେ। ଏପରିକି ପୁରୁଷ ପୁଲିସ ଆଗରେ ତାଙ୍କର ଅନ୍ତଃବସ୍ତ୍ର ଖୋଲିଥିବା ଅଭିଯୋଗ ହୋଇଛି । ଏହା ଛଡା ପୁଲିସ ନିଜର ଭୁଲ ଲୁଚାଇବାକୁ ଯାଇ ମିଛରେ ମାମଲା ରୁଜୁ କରି ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ପଠାଇଛି।

ଏହି ପରି ଅଭିଯୋଗ ସାମ୍ନାକୁ ଆସିବାପରେ ଆଜି ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ପୁଲିସ ଡିଜି କହିଛନ୍ତି।

Leave a Reply

Your email address will not be published. Required fields are marked *