ବିଜୁ ଜନତା ଦଳର ପୁରୁଖା, ରାୟଗଡ଼ା ଟାଣୁଆ ନେତା, ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଏମିତି ଏକ ଖବର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭାସ୍କର ରାଓ ଆରମ୍ଭରୁ ଜନତା ଦଳ, ପରେ ବିଜୁ ଜନତା ଦଳ ସହ ସଂଶ୍ଳିଷ୍ଟ ଥିଲେ। ହେଲେ ବିଜୁ ଜନତା ଦଳର ନୂଆ ନେତୃତ୍ବ କାରଣରୁ ସେ ଦଳଠାରୁ ଦୂରେଇ ରହିଥିଲେ। ଗତ ସେପ୍ଟେମ୍ବର ମାସରେ ଶ୍ରୀ ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ବିଜଦର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ଜିଲାର ବହୁ ବିଜଦ ନେତା, ଜିଲା ପରିଷଦ ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚମାନେ ମଧ୍ୟ ଛାଡ଼ିଥିଲେ ବିଜଦ । ବିଜଦ ନେତୃତ୍ବ ଅଣଦଖା କରିଛି, ସ୍ୱାଭିମାନ ସହ ସାଲିସ କରିବୁ ନାହିଁ କହି ସେ ବିଜୁ ସ୍ୱାଭିମାନ ମଞ୍ଚର ଗଠନ ଘୋଷଣା ମଧ୍ୟ କରିଛନ୍ତି । ସେମାନଙ୍କୁ କାଉଣ୍ଟର କରିବା ପାଇଁ ବିଜଦ ଗୋଟି ଚାଳନା କରିଥିଲା ବେଳେ ରାୟଗଡ଼ା ପୌର ପରିଷଦ ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିଲା ଅନାସ୍ଥା। ଏହାର ଫଳାଫଳ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଏଭଳି ଏକ ରାଜନୈତିକ ମାହୋଲ ଭିତରେ ଭାସ୍କର ରାଓ ଭାଜପାରେ ଯୋଗଦେବା ସୂଚନା ରାୟଗଡ଼ା ରାଜନୀତିରେ ବଡ଼ ପରିବର୍ତ୍ତନର ଆଭାସ ଦେଇଛି ।

ରାୟଗଡ଼ା ଗୋଟିଏ ସମୟରେ ବିଜୁ ଜନତା ଦଳର ଗଡ଼ ଭାବେ ରହିଥିଲା। ଏଠାରେ କଂଗ୍ରେସର ମଧ୍ୟ ଭଲ ଉପସ୍ଥିତି ରହିଛି । ଭାସ୍କର ରାଓ ଭାଜପାକୁ ଗଲେ ଉଭୟ ବିଜଦ ଓ କଂଗ୍ରେସକୁ ବଡ଼ ଚାଲେଞ୍ଜ ଦେଇପାରିବେ । ଶୁଣାଯାଉଛି ଯେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ଅର୍ଥାତ୍ ଡିସେମ୍ବର ୨୬ରେ ସେ ଭାଜପାରେ ଯୋଗଦେଇପାରନ୍ତି । ଏ ନବୀନ ପଟନାୟକଙ୍କ ବିଜୁ ଜନତା ଦଳ ଏବଂ ଭକ୍ତ ଦାସଙ୍କ କଂଗ୍ରେସକୁ ବଡ଼ ସଂକେତ।

Leave a Reply

Your email address will not be published. Required fields are marked *