ପ୍ରଣତି ଆଚାର୍ଯ୍ୟ ମିଶ୍ର(ନୟାଗଡ଼): ଜଳବାୟୁ ପରିବର୍ତନ ହେଉଛି ସବୁଠାରୁ ଗମ୍ଭୀର ବୈଶ୍ବିକ ସମସ୍ୟା । ଯାହା ସମଗ୍ର ବିଶ୍ବର ଇକୋସିଷ୍ଟମ, ଅର୍ଥନୀତି ଏବଂ ଜୀବ ସମୁଦାୟକୁ ପ୍ରଭାବିତ କରେ । ବିଭିନ୍ନ ଦେଶ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ କାର୍ବନ ସଂରକ୍ଷଣ ବୃଦ୍ଧି ପାଇଁ ପ୍ରୟାସ କରୁଥିବା ବେଳେ ବାଉଁଶ ଏକ ଆଶାଜନକ ସମାଧାନ ଭାବେ ଉତ୍ତା ହେଉଛି । ଏହାର ଦ୍ରୁତ ଅଭିବୃଦ୍ଧି, ଉଚ୍ଚ ବାୟୋମାସ୍ ଉତ୍ପାଦନ ଏବଂ କାର୍ବନ ସଂରକ୍ଷଣ କ୍ଷମତା କାରଣରୁ ବାଉଁଶ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାର ସୁଯୋଗ ପ୍ରଦାନ କରିପାରେ।

ଗବେଷଣାରୁ ଜଣାପଡ଼ିଛି ଯେ ବାଉଁଶ ଅନ୍ୟ ବୃକ୍ଷ ତୁଳନାରେ ଅଧିକ କାର୍ବନ ଡାଇଅକ୍ସାଇଡ ଶୋଷଣ କରିପାରେ । ଏହି କାର୍ବନ ଗଛର ଡାଳ, ପତ୍ର ଏବଂ ମୂଳ ସମେତ ବାୟୋମାସ୍‌ରେ ସଂରକ୍ଷିତ ହୋଇଥାଏ । ଏହା ବ୍ୟତୀତ ବାଉଁଶର ବ୍ୟାପକ ମୂଳ ପ୍ରଣାଳୀ ମାଟିକୁ ସ୍ଥିର କରିବା ସହ କ୍ଷୟ ରୋକିବାରେ ସହାୟକ ହୋଇଥାଏ, ଯାହା କାର୍ବନର ପ୍ରାକୃତିକ ସଂରକ୍ଷଣରେ ମଧ୍ୟ ସହାୟକ। ଜଳବାୟୁ ପରିବର୍ତ୍ତନ ପ୍ରଶମନରେ ବାଉଁଶର ଉଚ୍ଚ

ବାୟୋମାସ୍ ଉତ୍ପାଦନ ଏକ ଗୁରୁତ୍ଵପୂର୍ଣ କାରଣ। ଏହା ବିପୁଳ ପରିମାଣରେ ଜୈବିକ ପଦାର୍ଥ ଉତ୍ପାଦନ କରେ । ଯାହା ଜୈବ ଶକ୍ତି ସମେତ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରେ । ବାଉଁଶ କାଠର ଏକ ସ୍ଥାୟୀ ଦିକଳ୍ପ ପ୍ରଦାନ କରିଥାଏ । ଅମଳ ପରେ ଏହାକୁ ପୁନଃ ରୋପଣ କରିବାର ଆବଶ୍ୟକ‌ତା ନାହିଁ । କାରଣ ଏହା ମୂଳରୁ ପୁନର୍ବାର ବଢ଼ିଥାଏ। ସେଥ‌ିପାଇଁ କୁହାଯାଏ ଯେ କଦଳୀର ପୁଅ, ବାଉଁଶର ନାତି ଆପଣା ଇଛାରେ ବଢ଼ାନ୍ତି ଜାତି। ଅର୍ଥାତ୍ ବାଉଁଶ ବଂଶ ବୃଦ୍ଧି କରେ। ଏହା ସହଜରେ ବିଲୁପ୍ତ ହୁଏନି । ବାଉଁଶ ପାରମ୍ପରିକ ଜଙ୍ଗଲ ଉପରେ ଚାପ ହ୍ରାସ କରି ଜଙ୍ଗଲ ଏବଂ ଜଳ ସଂରକ୍ଷଣରେ ଯୋଗଦାନ କରେ । ସମଗ୍ର ବିଶ୍ବରେ ପ୍ରାୟ ୩୧.୫ କୋଟି ହେକ୍ଟର ଜମିରେ ବାଉଁଶ ଜଙ୍ଗଲ ରହିଛି । ଚୀନ, ଭାରତ ଓ ମିଆଁମାର ମୁଖ୍ୟ ବାଉଁଶ ଉତ୍ପାଦନକାରୀ ଦେଶ। ଜଳବାୟୁ ପରିବର୍ତନ ପ୍ରଶମନରେ ବାଉଁଶର ଭୂମିକା ଉପରେ ଅନେକ ବିଶ୍ବସ୍ତରୀୟ ପଦକ୍ଷେପ ଗୁରୁତ୍ବାରୋପ କରିଛି। ଇଥ୍ଓପିଆ ଏବଂ ଘାନା ଭଳି ଦେଶ ସେମାନଙ୍କର ପୁନଃଜଙ୍ଗଲ ଏବଂ ଜମି ପୁନରୁଦ୍ଧାର ପ୍ରୟାସର ଅଂଶ ଭାବରେ ବାଉଁଶ ଚାଷକୁ ପ୍ରୋସାହିତ କରୁଛନ୍ତି । କଲମ୍ବିଆ ଏବଂ ଇକ୍ଵେଡର ଭଳି ଦେଶ ସ୍ଥାୟୀ ବିକାଶ ଏବଂ ଜଳବାୟୁ ସହନଶୀଳତା ପାଇଁ ସେମାନଙ୍କର ଜାତୀୟ ରଣନୀତିରେ ବାଉଁଶକୁ ଅନ୍ତର୍ଭୁକ୍ତ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଚୀନ ମଧ୍ଯ ବାଉଁଶ ଚାଷକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିଛି।

ପ୍ରାୟ ୧୪ ନିୟୁତ ହେକ୍ଟର ବାଉଁଶ ଜଙ୍ଗର ସହିତ ଭାରତ ବିଶ୍ବର ଅନ୍ୟତମ ବୃହତ୍ତମ ବାଉଁଶ ଉତ୍ପାଦନକାରୀ ଦେଶ । ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ ସମେତ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଦେଶର ୫୦%ରୁ ଅଧିକ ବାଉଁଶ ସମ୍ପଦ ରହିଛି । କେନ୍ଦ୍ର ସରକାରଙ୍କ ବାଉଁଶ ମିଶନର ଲକ୍ଷ୍ୟ ବାଉଁଶ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଏହାର ସ୍ଥାୟୀ ବ୍ୟବହାର କରିବା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ଫରେଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଏଜୁକେସନ୍‌ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାରତର ବାଉଁଶ ଜଙ୍ଗଲ ପ୍ରତିବର୍ଷ ପ୍ରାୟ ୧୨୦ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍‌ ଶୋଷଣ କରିପାରିବ । ଭାରତର ଜଳବାୟୁ ପରିବର୍ତ୍ତନ ପ୍ରଶମନ ପ୍ରୟାସରେ ବାଉଁଶର ସମ୍ଭାବ୍ୟ ଅବଦାନକୁ ଏହି ପରିସଂଖ୍ୟାନ ଦର୍ଶାଉଛି । ଜାତୀୟ ବାଉଁଶ ମିଶନ (ଏନବିଏମ୍) ଗ୍ରାମୀଣ ସମୁଦାୟର ଜୀବିକା ବୃଦ୍ଧି ଏବଂ ପରିବେଶ ସଂରକ୍ଷଣରେ ଯୋଗଦାନ ଦେବା ପାଇଁ ଅଣ ଜଙ୍ଗଲ ଅଞ୍ଚଳରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରେ । ଆମ ପାଖରେ ବାଉଁଶ ଚାଷ ଓ ପରିଚାଳନା ସମ୍ପର୍କରେ ସୀମିତ ସଚେତନତା ରହିଛି। ଏହାବ୍ୟତୀତ ବାଉଁଶର କାର୍ବନ ସିକ୍‌ୱେଷ୍ଟେସନ ମାପିବା ପାଇଁ ମାନକ ପଦ୍ଧତିର ଅଭାବ ଏହାର ଜଳବାୟୁ ଲାଭର ଆକଳନକୁ ଜଟିଳ କରିଥାଏ । ବାଉଁଶର ପରିବେଶ ଏବଂ ଅର୍ଥନୈତିକ ଲାଭକୁ ଭଲଭାବରେ ବୁଝିବା ପାଇଁ ଗବେଷଣାରେ ନିବେଶ, ବାଉଁଶ ଚାଷ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିବା ନୀତି ପ୍ରସ୍ତୁତ କରିବା ଉଚିତ । ପ୍ରଶିକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ ଏବଂ ଅଂଶୀଦାରଙ୍କ କ୍ଷମତା ବୃଦ୍ଧି ଏବଂ ବାଉଁଶ ଉତ୍ପାଦର ବଜାର ସୃଷ୍ଟି ଏବଂ ବିସ୍ତାର କରିବା ଆବଶ୍ୟକ । ବାଉଁଶ ଜଳବାୟୁ ପରିବର୍ତନ ପ୍ରଶମନ ପାଇଁ ଆଶାଜନକ ସମାଧାନ। ଜଳବାୟୁ ପରିବର୍ତ୍ତନ ବିରୋଧ ଲଢ଼େଇରେ ଏହା

ଏକ ମୂଲ୍ୟବାନ ସମ୍ବଳ। ସରକାର, ଗବେଷଣା ଅନୁଷ୍ଠାନର ମିଳିତ ପ୍ରୟାସ ମାଧ୍ଯମରେ ବାଉଁଶ ରକ୍ଷଣାବେକ୍ଷଣ କରିବା ଉଚିତ। ବାଉଁଶର ସାମର୍ଥ୍ୟକୁ ଉପଯୋଗ କରି ଆମେ ଏକ ସବୁଜ, ଜଳବାୟୁପ୍ରେମୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହୋଇପାରିବା। ଉଜୁଡ଼ି ଯାଇଥିବା ଜଙ୍ଗଲକୁ ସଜାଡ଼େ ଏହି ସବୁଜ ସୁନା । ଅନ୍ୟଗଛ ତୂଳନାରେ ବାଉଁଶ ଦ୍ରୁତ ଗତିରେ ବଢ଼େ । ଘନତ୍ବ ଦୃଷ୍ଟିରୁ ଯେତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେଲେ ବି ଏହା ପ୍ରକୃତିକୁ ସୁରକ୍ଷା ଦେବାରେ ସାହାଯ୍ୟ କରେ। ଜଳବାୟୁ ସନ୍ତୁଳନରେ ଏହା ମୁଖ୍ୟ ଭୂମିକା ନିଭାଉଥିବା ବେଳେ ବାଉଁଶ ଗଛ ତୃଣଭୋଜି ପ୍ରାଣୀଙ୍କ ପାଇଁ ଖାଦ୍ୟ ବନିଥାଏ । ଏହା ପ୍ରକୃତି ପାଇଁ ଯେତିକି ଲାଭଦାୟକ, ସେତିକି ଆଦିବାସୀ ଜନଜୀବନ, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମଧ୍ୟ ଲାଭଦାୟକ। ଏଥିପାଇଁ କୁହାଯାଏ- ଫଗୁଣେ ଅଗ୍ନି, ଚଇତ୍ରେ ମାଟି ବାଉଁଶ କହେ ମୁଁ ଶିଘ୍ର ଉଠି ।

ସରକାର ଏବେ ବଜ୍ରପାତରୁ ସୁରକ୍ଷା ପାଇଁ ତାଳଗଛ ଉପରେ କଟକଣା ଲାଗୁ କରିଛନ୍ତି । ସେହିପରି ଗମ୍ଭୀର ସମସ୍ୟା ଜଳବାୟୁ ପରିବର୍ତନକୁ ରୋକିବା ଲାଗି ବାଉଁଶ ବନ ଜରୁରୀ।

        ପ୍ରଣତି ଆଚାର୍ଯ୍ୟ ମିଶ୍ର(ନୟାଗଡ଼):                                          ମୋ-୯୪୩୭୬୪୨୯୪୭

Leave a Reply

Your email address will not be published. Required fields are marked *