ଜଣେ ଓଏଏସ୍ ଅଧିକାରୀଙ୍କୁ ନେଇ ଦୁଲୁକୁଛି ଦିଲ୍ଲୀ। ମୋହନ ସରକାରଙ୍କ ଅମଳରେ ଅଫିସର ରାଜ ଏତେ ଭୟଙ୍କର ସ୍ତରକୁ ଚାଲିଗଲାଣି ଯେ ଜନ ପ୍ରତିନିଧ୍ବସ୍ତରୀୟ ଶାସନ ଚାଲୁଛି କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଲାଣି। ଆଇଏଏସ୍ ତ ଆଇଏଏସ୍, ଓଏଏସ୍ ଅଧିକାରୀମାନେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ବୋଲି ଧାରଣା ଦାନା ବାନ୍ଧୁଛି । ଏମିତି ସ୍ଥିତିରେ ସାମ୍ନାକୁ ଆସିଛି ଦିଲ୍ଲୀ ଅଶୋକା ହୋଟେଲ୍‌ରେ ଘଟିଯାଇଥିବା କିଛି ଘଟଣା।

ଓଡ଼ିଶାରୁ ଯାଉଥିବା ବଡ଼ ଅଫିସରମାନେ ଓଡ଼ିଶା ଭବନରେ ରହୁ ନାହାନ୍ତି। ରହୁଛନ୍ତି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହୋଟେଲ ଅଶୋକାରେ। ଏସଂକ୍ରାନ୍ତରେ ଓଡି଼ଶା ସରକାରଙ୍କ ସହ ଏକ ଚୁକ୍ତିନାମା ମଧ୍ଯ ହୋଇଛି। ଅଶୋକା ହୋଟେଲର ଗୋଟିଏ ରୁମ୍‌ର ଭଡ଼ା ୧୩ରୁ ୧୫ ହଜାର ଟଙ୍କା ପ୍ରତିଦିନ । କିନ୍ତୁ ଓଡ଼ିଶାରୁ ଯାଉଥିବା ଅଫିସରମାନେ କେବଳ ୧୨୦ ଟଙ୍କା ଦେଇଥାନ୍ତି । ବାକି ଅର୍ଥ, ଖୁଆ କି ପିଆ ଭରଣା କରନ୍ତି ରାଜ୍ୟ ସରକାର।

ଏଠାରେ ଯେଉଁ କାହାଣୀ ଚାଲିଛି, ତାହା ଅଶୋକା ହୋଟେଲର ରୁମ୍ ନଂ. ୬୩୮କୁ ନେଇ। ତାରି ଖଟି ହେଲା ଗତ ୧୨ ତାରିଖ। ସମୟ ପାଖାପାଖି ରାତି ସାଢ଼େ ୧୧ ହେବ । ଯାହାଙ୍କ ନାମରେ ରୁମ୍‌ଟି ବୁକ୍ କରାଯାଇଥିଲା ସେ ହେଲେ ଗଙ୍ଗାଧର ନାୟକ। ଗୃହ ଓ ପୂର୍ବ ବିଭାଗର ସତନ୍ତ୍ର ସଚିବ। ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କରି ନାମରେ ୬୩୮ ନଂ ରୁମ୍ ବ୍ଲକ୍ ହୋଇଥିଲା । ଅବଶ୍ୟ ଗଙ୍ଗାଧରଙ୍କ ସହ କିଏ ରହିଥିଲେ, ସେ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ଅଛି। ସିସି ଟିଭି ଫୁଟେଜ ଦେଖିଲେ ଜଣାପଡ଼ିବ । ଗଙ୍ଗାଧର ଇଣ୍ଡିଗୋ ବି ମାନରେ ୧୨ ତାରିଖ ଅପରାହ୍ନରେ ଦିଲ୍ଲୀ ପହଞ୍ଚୁଛନ୍ତି। ତେବେ ଅସୁବିଧା କେଉଁଠି ରହିଲା ?

ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି, ତାହା ମାରାତ୍ମକ । ସେହି ରୁମ୍‌ରେ କୁଆଡ଼େ ମଦ’ର ଆସର ଚାଲିଥିଲା। ହୋଟେଲ ଅଶୋକା ଓଡ଼ିଆ ଅଫିସରଙ୍କ ପାଇଁ ଏକ ମସ୍ତିର କେନ୍ଦ୍ର ହୋଇଯାଇଛି। ଓଡ଼ିଶାରୁ ଯାଉଥିବା ଅଧିକାରୀମାନେ ରୁମ୍‌କୁ ମଧୁଶାଳାରେ ବଦଳାଇ ଦେଉଛନ୍ତି। ଚିକେନ, ପ୍ରନ୍, ମଟନ ମାଡ଼ ହେଉଛି। ଘଟଣା ଦିନ ଅଧିକାରୀ ଅନ୍ୟ ଅତିଥି ଏବଂ ହୋଟେଲ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଆସିବା କାରଣରୁ ଏବେ ରୁମ୍ ନଂ. ୬୩୮ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛି। ଅଫିସରଙ୍କ ସହ ତାଙ୍କର ବନ୍ଧୁ ମାନଙ୍କ ଭିତରୁ କେତେଜଣ ଏଭଳି କାଣ୍ଡକାରଖାନା ଘଟାଇଥୁବା ଚର୍ଚ୍ଚା ହେଉଛି ହୋଟେଲ ଭିତରେ ଓ ବାହାରେ।

ସେଦିନ କେଉଁମାନେ ୬୩୮ ରଙ୍ଗଶାଳାରେ ଥିଲେ ? କେଉଁ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଓଡ଼ିଶାର ନାମ ବଦନାମ କରିଥିଲେ? ସରକାରଙ୍କ ପାଖରେ ଏ ବିଷୟରେ ଖବର ଅଛି କି ? କିନ୍ତୁ କେତେଦିନ ଅଫିସରଙ୍କ କାଠପୁତୁଳି ହୋଇ ଏକ ନିର୍ବାଚିତ ସରକାର ଥେଇଥେଇ ନାଚିବେ ? ଏହାହିଁ ଚର୍ଚ୍ଚାର ବଡ଼ ବିନ୍ଦୁ ହୋଇଯାଇଛି।

Leave a Reply

Your email address will not be published. Required fields are marked *