ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସାମୟିକ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି। ଇଡି କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ଇଡି ଏହାର ଆବେଦନରେ କହିଥିଲା ଯେ, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍ରିୱାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ କାରଣ କେଜ୍ରିଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ଅରବିନ୍ଦ କେଜରିୱାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତୁରନ୍ତ ଶୁଣାଣି କରିବାକୁ ଅନୁମତି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଏହି ମାମଲାର ଶୁଣାଣି ନକରିଛୁ ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ କାର୍ଯ୍ୟକାରୀ ହେବ ନାହିଁ। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯିବା ପରେ ଆମ ଆଦ୍ମୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳ ତାନାଶାହାଙ୍କ ଶାସନ ବୋଲି କଟାକ୍ଷ କରିଛି। ଦଳର ନେତା କହିଛନ୍ତି ଯେ ଏଭଳି ଦେଶରେ ପ୍ରଥମ ଥର ହେଉଛି। ନିମ୍ନ ଅଦାଲତର ଆଦେଶ କପି ଆସି ନ ଥିବା ବେଳେ ଇଡି ଉକ୍ତ ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଯାଇଛି। Post navigation ୯୮ ଭାରତୀୟ ହଜ୍ ଯାତ୍ରୀଙ୍କ ମୃତ୍ୟୁ: ବୈଦେଶିକ ମନ୍ତ୍ରାଳୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀପ ରାୟ