ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲଘୁଚାପ ଯୋଗୁଁ ରାଜ୍ୟରେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିପରି ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ସମ୍ଭାବ୍ୟ ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଯୋଗୁଁ ୩୦ ତାରିଖରୁ ବର୍ଷାର ପ୍ରଭାବ ଆହୁରି ବୃଦ୍ଧି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ପାଣିପାଗ ବିଭାଗ ଅନୁଯାୟୀ ପଶ୍ଚିମବଙ୍ଗ ଉପକୂଳରେ ନିମ୍ନ ଚାପ ସୃଷ୍ଟି ହୋଇଛି । ଫଳରେ ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ତଥା ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତର ଦିଗକୁ ଯିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳଠୁ ଅତି ପ୍ରବଳବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ୨୮ରୁ ୩୧ ତାରିଖ ଯାଏଁ ପ୍ରବଳ ବର୍ଷିପାରେ । ୨୮ରେ ହେବାକୁଥିବା ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଳାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ । ସେହିପରି ୨୯ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ନିମ୍ନଚାପ ପ୍ରଭାବ କାରଣରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *