ଇଫ୍କୋ ସଲ୍ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍ଘାଟନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଦୈନିକ ୨ ହଜାର ଟନ୍ ସଲଫ୍ୟୁରିକ୍ ଏସିଡ୍ ଉତ୍ପାଦନ କରିବ। ଫଳରେ ୫୦ ପ୍ରତିଶତ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ୫୦୦ ମିଲିୟନ ମେଟ୍ରିକ ଟନ କୋଇଲା ବ୍ୟବହାର କମିଯିବ। ଏପରିକି ବିଦେଶରୁ ଆମଦାନୀ କରିବାକୁ ପଡୁଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ ସଲଫ୍ୟୁରିକ୍ ଏସିଡ୍ ଆମଦାନୀ ବାବଦ ଖର୍ଚ୍ଚରୁ କ୍ଷାନ୍ତ ମିଳିବ ବୋଲି କୁହାଯାଉଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଦେଇ କହିଛନ୍ତି ମୁଁ ଦେଶର ବରେଣ୍ୟ ଜନନେତା, ଦୃଢ଼ ପ୍ରଶାସକ, ଗୃହ ଏବଂ ସହକାରୀତା ମନ୍ତ୍ରୀ, ଅମିତ ଶାହାଜୀଙ୍କୁ ଓଡ଼ିଶାର ବନ୍ଦର ନଗରୀ ପାରାଦୀପକୁ ସ୍ୱାଗତ କରୁଛି। ଅମିତ ଶାହା ଦେଶର ଜଣେ ଦୃଢ ଏବଂ ଦୃତ ନିଷ୍ପତ୍ତି ଗ୍ରହଣ କରୁଥିବା ନେତା ଭାବେ ଜଣାଶୁଣା। ସେ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି। ଧାରା ୩୭୦ ହେଉ କିମ୍ବା ଦେଶକୁ ନକ୍ସଲମୁକ୍ତ କରିବା, ଯାହା ପୂର୍ବରୁ ଅସମ୍ଭବ ମନେ ହେଉଥିଲା, ଅମିତ ଶାହା କରି ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବାରେ ଶାହାଜୀଙ୍କ ପରି ଆଉ କୌଣସି ନେତା ନାହାନ୍ତି। ଏପରି ଦୃଢ଼ ଏବଂ କଠିନ ନିଷ୍ପତ୍ତିର ସଫଳ କାର୍ଯ୍ୟାନ୍ୱୟନ ସର୍ବଦା ସ୍ମରଣୀୟ ରହିବ। ଶାହାଜୀ ସହକାରୀତା ବିଭାଗର ଦାୟିତ୍ୱ ନେବା ପରଠାରୁ, ଏହି ବିଭାଗରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ସମବାୟ କ୍ଷେତ୍ରରେ ଗୁଜରାଟ ହେଉଛି ଦେଶର ପ୍ରମୁଖ ମଡେଲ। ଗୁଜରାଟରେ ସମବାୟ ଆନ୍ଦୋଳନର ସଫଳତାର ପ୍ରମୁଖ ଶ୍ରେୟ ମାନନୀୟ ଶାହା ଜୀଙ୍କୁ ଯାଇଥାଏ। ଆଜି ଓଡିଶାରେ ଏହି ଯେଉଁ ପ୍ଲାଣ୍ଟ ଉଦ୍ଘାଟନ ହେଲା, ଏହା ସମବାୟ କ୍ଷେତ୍ରକୁ ଶାହାଜୀଙ୍କ ଅବଦାନର ଆଉ ଏକ ପ୍ରମାଣ। ଆଜି ସନ୍ଧ୍ୟାରେ ମଧ୍ୟ, ଭୁବନେଶ୍ୱରରେ, ଶାହାଜୀଙ୍କ କରକମଳରେ, ଓଡ଼ିଶାର ନୂତନ ସମବାୟ ନୀତି ଉନ୍ମୋଚିତ ହେବାକୁ ଯାଉଛି। ଏଥି ସହିତ ଅନେକ ନୂତନ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି। ଓଡ଼ିଶାର ସମବାୟ କ୍ଷେତ୍ରରେ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଇଫ୍କୋ ଆମ ଦେଶର ସର୍ବବୃହତ କୋ-ଅପରେଟିଭ୍ ସଂସ୍ଥା ମଧ୍ୟରୁ ଗୋଟିଏ । ସାର ଉତ୍ପାଦନରେ ଏହା ସାରା ବିଶ୍ବରେ ଏକ ନମ୍ବର । ୟୁରିଆ ଓ ପଟାସ୍ ଜାତୀୟ ସାର ପ୍ରସ୍ତୁତ କରିବାରେ ଇଫ୍କୋ ହେଉଛି ଦେଶର ଅଗ୍ରଣୀ ସଂସ୍ଥା । ଏଥିରେ ଏହି ପାରାଦୀପ ୟୁନିଟ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଇଫ୍କୋର ଏହି ୟୁନିଟ୍ ଏକ ଘରୋଇ ଉଦ୍ୟୋଗ ଥିଲା, କିନ୍ତୁ ତାହା ଅଚଳ ହୋଇପଡିଥିଲା। ଇଫ୍କୋ ଏହାକୁ ଅଧିଗ୍ରହଣ କରିବା ପରେ ଆଜି ଏହା ଦେଶର ସାର ଉତ୍ପାଦନରେ ଏକ ଅଗ୍ରଣୀ ଭୂମିକା ନେଇ ଚାଷୀ ମାନଙ୍କର ଆବଶ୍ୟକତାକୁ ପୂରଣ କରୁଛି । ୨୦୦୫-୦୬ ରେ ଏହାର ଉତ୍ପାଦନ ପ୍ରାୟ କିଛି ନଥିଲା, ଆଜି ଏହା ତାର ସମ୍ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ କରୁଛି । ସେ ଆଉ ମଧ୍ୟ କହିଛନ୍ତି ଆଜିର ଏହି ସଲ୍ଫୁରିକ୍ ଏସିଡ୍ ପ୍ଲାଣ୍ଟ ଷ୍ଟ୍ରିମ୍-୩ ର ଉଦ୍ଘାଟନ ଯୋଗୁ, ସାର ଉତ୍ପାଦନ କ୍ଷେତ୍ରରେ ଆଜି ଆମେ ଆତ୍ମନିର୍ଭରତା ଆଡକୁ ଆଉ ଏକ ପାଦ ଆଗକୁ ବଢିପାରିଛୁ । ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍ଫୁରିକ୍ ଏସିଡ୍ ଉତ୍ପାଦନ ହେବ । ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲଫୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ । ଏହି ପ୍ଳାଣ୍ଟ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ । ଇଏ ହେଉଛି ଆତ୍ମନିର୍ଭର ଭାରତର ଆଉ ଏକ ନିଦର୍ଶନ । ଏଥିପାଇଁ ମୁଁ ଶାହାଜୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। କୃଷକ ମାନଙ୍କ ଦ୍ବାରା ପରିଚାଳିତ ଏକ ସଂସ୍ଥା ଆଜି ଆମକୁ ସାର ଉତ୍ପାଦନରେ ଆତ୍ମନିର୍ଭର କରୁଛି। ପ୍ରଧାନମନ୍ତ୍ରୀଜୀ କୃଷକ ମାନଙ୍କୁ ଅନ୍ନଦାତା ଭାବରେ ସମ୍ବୋଧନ କରି ସମ୍ମାନ ପ୍ରଦର୍ଶନ କରନ୍ତି । କାରଣ କୃଷକ ମାନେ ହିଁ ଆମ ଦେଶକୁ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର କରିଛନ୍ତି । ଏବେ ଆମର କୃଷକ ଭାଇ ମାନେ ସାର ଉତ୍ପାଦନରେ ମଧ୍ୟ ଆମକୁ ଆତ୍ମନିର୍ଭର କରିବାରେ ସଫଳତା ହାସଲ କରିଛନ୍ତି । ଇଏ ହେଉଛି ବିକଶିତ ଭାରତର ଗୋଟିଏ ଗୋଟିଏ ଉଜ୍ଜ୍ବଳ ଉଦାହରଣ । ବନ୍ଧୁଗଣ, ଏ ପାରାଦୀପ ସହର ହେଉଛି ଉଦୀୟମାନ ଓଡିଶାର ପ୍ରତୀକ । ବନ୍ଦର, ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ, ସାର କାରଖାନା ଓ ଆହୁରି ଅନେକ ଶିଳ୍ପର କେନ୍ଦ୍ରସ୍ଥଳ ହେଉଛି ଆପଣମାନଙ୍କ ପାରାଦୀପ। କିନ୍ତୁ, ଏହା କେବଳ ଆରମ୍ଭ ମାତ୍ର । ଆଗାମୀ ଦିନରେ ପାରାଦୀପ ଓଡିଶାର ସମୃଦ୍ଧିର ପ୍ରତିବିମ୍ବ ହେବାକୁ ଯାଉଛି । ପାରାଦୀପରେ ଟେକ୍ସଟାଇଲ ପାର୍କ ଭଳି ଅନେକ ଶିଳ୍ପ ଓ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ହେବାକୁ ଯାଉଛି । ଆପଣମାନେ ଜାଣନ୍ତି ପାରାଦୀପରୁ କଟକ, ଭୁବନେଶ୍ବର ଦେଇ ପୁରୀ ପର୍ଯ୍ୟନ୍ତ ଆମେ ଏକ ଇକୋନୋମିକ୍ ରିଜିଅନ୍ କରିବାକୁ ଯାଉଛୁ । BCPPER ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ଦେଇଛନ୍ତି । ଏଥିରେ ନିର୍ମାଣ ହେବ ସମୃଦ୍ଧ ଓଡିଶାର ଭିତ୍ତିଭୂମି । ପାରାଦୀପରୁ ପୁରୀ ପର୍ଯ୍ୟନ୍ତ ଅଞ୍ଚଳ ପୂର୍ବ ଭାରତର ମୁମ୍ବାଇ ଭଳି ଇକୋନୋମିକ୍ ହବ୍ ହେବ ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ପାଇଁ ଏକ ଗେଟ-ୱେ ଭଳି କାର୍ଯ୍ୟକରିବ। କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ଆପଣ ମାନଙ୍କ ଭାଗିଦାରୀରେ ଓଡିଶା ଏକ ସମୃଦ୍ଧ, ବିକଶିତ ରାଜ୍ୟ ରୂପେ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ଭାବରେ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ । ଏହି ଯୋଜନା ଓଡିଶାକୁ ଭେଟିଦେଇଥିବାରୁ ମୁଁ ଓଡିଶା ବାସୀଙ୍କ ତରଫରୁ ମାନନୀୟ ଅମିତ ଶାହାଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। Post navigation BJP Issues Whip: ମାର୍ଚ୍ଚ ୯ ଓ ୧୦ ପାଇଁ ଲୋକସଭା ସାଂସଦମାନଙ୍କୁ ହ୍ୱିପ୍ ଜାରି କଲା ବିଜେପି Odisha Weather: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା