ରାଉରକେଲା : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ହେବ । ଏହାକୁ ଆଖି ଆଗରେ ରଖି ବିଜେପିର ହେଭିୱେଟ୍ ନେତାଙ୍କର ସୁଅ ଛୁଟିଛି ଓଡ଼ିଶାକୁ । ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। । ରାଉରକେଲାର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଶ୍ରୀ ଶାହ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍‌ ଟପିଗଲେଣି। ଏଥର ମୋଦିଜୀ ୪ ଶହ ପାର୍‌ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି। କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ। ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ଶାହ । ଓଡ଼ିଶାରେ ବିଜେପି ୨୧ଟି ଲୋକସଭା ଆସନରୁ ୧୫ଟିରେ ବିଜୟୀ ହେବ। ସେହିପରି ୧୪୭ଟି ବିଧାନସଭା ଆସନରୁ ୭୫ଟିରେ ଜିତିବ।

ଶାହ କଡ଼ାଭାଷାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହି ଛନ୍ତି ଯେ, ଆବାସ ଯୋଜନାରେ ମୋଦୀ ସରକାର ଦେଶର ୪ କୋଟି ପରିବାରଙ୍କୁ ପକ୍କା ଘର ଦେଇଛନ୍ତି। ଏହି ଯୋଜନା ଓଡ଼ିଶାରେ ଠିକ୍‌ ଭାବେ ବ୍ୟବହାର ହୋଇପାରି ନାହିଁ। ଓଡ଼ିଶାରେ ଏବେ ବି ୨୭ ଲକ୍ଷ ପରିବାରକୁ ପକ୍କା ଘର ମିଳିପାରି ନାହିଁ। ସେହିପରି ୨୪ ଲକ୍ଷ ପରିବାରକ ଘରେ ପାଇପ୍‌ ପାଣି ବ୍ୟବସ୍ଥା କରାଯାଇ ପାରିନାହିଁ।

ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହ କହିଛନ୍ତି, ବର୍ଷବର୍ଷ ଧରି ଓଡ଼ିଶାର ଜନତା ରତ୍ନଭଣ୍ଡାର ଚାବି ନେଇ ପ୍ରଶ୍ନ କରୁଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଗଲା କୁଆଡ଼େ ଗଲା? ଡୁପ୍ଲିକେଟ ଚାବି କେମିତି ତିଆରି ହେଲା? ଡୁପ୍ଲିକେଟ୍‌ ଚାବିରେ ରତ୍ନଭଣ୍ଡାର ଖୋଲାଯାଉଛି କି? ପ୍ରଭୁ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲାଯାଉ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ଗୋଟିଏ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି, ଯାହା ଦ୍ୱାରା ।ସମସ୍ୟା ହେଉଛି। ପ୍ରଭୁ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଉଛି। ପରିକ୍ରମା ପ୍ରକଳ୍ପ ନାମରେ ଶ୍ରୀମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି। ବିଜେପି ସରକାର ଆସିଲେ ମାସକ ମଧ୍ୟରେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ। ଆମେ ରତ୍ନଭଣ୍ଡାର ଖୋଲିବୁ। ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି। ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ନବୀନ ବାବୁ କୁହନ୍ତୁ। ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି।


କଂଗ୍ରେସ ଏଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରି ନଥିଲା। ହେଲେ ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି। ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା ପାଇଁ କାମ କରିଛନ୍ତି ମୋଦି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଗୌରବକୁ ପୁନଃ ପ୍ରତିଷ୍ଠା କରିବ ଏହି ନିର୍ବାଚନ। ଓଡ଼ିଶାର ଶାସନ ବ୍ୟବସ୍ଥା ନେଇ ମଧ୍ୟ ଶ୍ରୀ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶାର ଶାସନ ଓଡ଼ିଆରେ ଚାଲିବ ନା ତାମିଲରେ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଆ, ଭାଷା, ସଂସ୍କୃତି ଓ ଗୌରବକୁ ପୁନଃ ପ୍ରତିଷ୍ଠା କରାଯିବ। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ମଧ୍ୟ ଲାଗୁ ହେବ। ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି। ଏଠି କ’ଣ ନେତା ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି । ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି ।

କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସବୁଠାରୁ କମ। ଚାଷୀଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରି ନାହାନ୍ତି। ଓଡ଼ିଶାରେ ରୋଜଗାର ପାଇଁ ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । କିନ୍ତୁ ନବୀନ ସରକାର ରାଜ୍ୟରେ ୧ ଦେଶ ୧ ରାସନ ବ୍ୟବସ୍ଥା ଲାଗୁ କରି ନଥିବାରୁ ଓଡ଼ିଶାର ଭାଇଭଉଣୀ ଏହି ସୁବିଧାରୁ ଲାଭାନ୍ଵିତ ହୋଇପାରୁ ନାହାନ୍ତି। ମୋଦୀ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଚାଉଳ ଦେଉଛନ୍ତି। ନବୀନ ସରକାର ଖାଲି ବ୍ୟାଗ ଦେଉଛନ୍ତି। ଲୋକ କା ଖାଲି ବ୍ୟାଗ ଖାଇବେ । ଦମ ଅଛି ଯଦି ବ୍ୟାଗରେ ୨ କିଲୋ ଚାଉଳ ଦିଅନ୍ତୁ।

ଅମିତ୍ ଶାହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ବେଳେ ବିଜେପି ନେତା ଜୁଏଲ ଓରାମଙ୍କୁ ମହାନ ତଥା ଲୋକପ୍ରିୟ ଆଦିବାସୀ ନେତା ଭାବରେ ପ୍ରଶଂସା କରିଥିଲେ ଓ ଏହା ସହ ରାଉରକେଲା ବିଧାୟକ ଦିଲୀପ ରାୟଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ମଧ୍ୟ ସମ୍ବୋଧନ କରିଥିଲେ ।

By SonaliP

Leave a Reply

Your email address will not be published. Required fields are marked *