ସରକାର ବଦଳିଗଲେ ଯେ ଲୁଚରାଜର ହିସାବ ନିକାଶ ହୋଇଯାଏ – ଏମିତି ଯଦି କେହି ଭାବୁଥାନ୍ତି, ସେହି ବ୍ୟକ୍ତି ଅଚ୍ୟନ୍ତ ସରଳ ଅଥବା ନିର୍ବୋଧ ହୋଇପାରନ୍ତି କେବଳ । ମହାପାତ୍ରେ ମାରୁଥାନ୍ତି, ଅନ୍ୟମାନେ ଜଳକା ହୋଇ ଦେଖୁଥାନ୍ତି। ଏହା ବର୍ତ୍ତମାନର ଭାରତୀୟ ଗଣତନ୍ତ୍ରର ଚିତ୍ର ଓ ଚରିତ୍ର । ଓଡିଶାର ସବୁଠାରୁ ବଡ଼ ସମ୍ପତ୍ତି ହେଲା, ଏହାର ଖଣିଜ ସମ୍ପଦ । ଖଣିଜ ସମ୍ପଦର ଉପଯୁକ୍ତ ବ୍ୟବହାର କରି ସେଗୁଡିକୁ ମୂଲ୍ୟଯୁକ୍ତ କଲେ, ଖଣି ଥିବା ଅଞ୍ଚଳର ବିକାଶ ହୁଏ । ହୋ, ମୁଣ୍ଡା ଓ ନୂଆଙ୍ଗ ଜନତାତି ବସବାସ କରୁଥିବା କେନ୍ଦୁଝର ଜିଲ୍ଲା ଏହାର ସଂସ୍କୃତି ଓ ସରଳତା ପାଇଁ ପ୍ରସିଦ୍ଧ । ଲୁହା ପଥର, ମାଙ୍ଗାନିଜ ଓ କ୍ରୋମାଇଟ ଭର୍ତ୍ତି ହୋଇ ରହିଛି କେନ୍ଦୁଝରରେ। ବୈତରଣୀ, କାଂଝାରୀ ଭଳି ନଦୀ କେନ୍ଦୁଝରର ଅର୍ଥନୀତିକୁ ପ୍ରଭାବିତ କରନ୍ତି। ରତ୍ନଗର୍ଭା କେନ୍ଦୁଝର ବିକାଶ ଓ ପ୍ରଗତିର ଶୀର୍ଷରେ ରହିବା କଥା। କିନ୍ତୁ ବର୍ଷ ବର୍ଷ ଧରି କେନ୍ଦୁଝର କେବଳ ଶୋଷଣର ଶିକାର ହୋଇ ଆସିଛି। ଏକଦା ଶାନ୍ତ, ନୀରବ, ଧ୍ୟାନମଗ୍ନ ଋଷି ଭଳି ରହିଥିବା କେନ୍ଦୁଝର ଉପରେ ଖଣି ଲୁଟେରାଙ୍କ ଦୃଷ୍ଟି ପଡ଼ିବା ପରେ ୨୦୦୭-୦୮ ବେଳକୁ କୋଟି କୋଟି ଟଙ୍କାର ଲୁହାପଥରକୁ ଲୁଟି ନିଆଗଲା ବଡ ବଡ ଟ୍ରକରେ । କେନ୍ଦୁଝରରେ କୋଳାହଳ ବଢି ଚାଲିଲା ଓ କେନ୍ଦୁଝର ପଡି ରହିଲା ଏକ ଧ୍ବସ୍ତବିଧ୍ବସ୍ତ ଇଲାକା ହିସାବରେ। ଜଙ୍ଗଲ ଓ ଖଣିଜ ପଦାର୍ଥର ପ୍ରାଚୁର୍ଯ୍ୟରେ ଭରପୁର କେନ୍ଦୁଝରରେ ଲୌହ ଇସ୍ପାଚ କାରଖାନା କଥା, ଓଡିଶାର ବଡ ବଡ ନୀତି ନିର୍ଧରକ୍ ପ୍ରଶାସକମାନେ କେବେ ଭାବି ନଥିଲେ । ଆଶ୍ଚର୍ଯ୍ୟ ! । ୨୦୦୬ରେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟର ତାଲିକାରେ ଭାରତର ସବୁଠାରୁ ପଛୁଆ ୨୫୦ ଜିଲ୍ଲା ଭିତରେ କେନ୍ଦୁଝର ଅନ୍ତର୍ଭୁକ୍ତ ଥିଲା । କାହାର ଟିକିଏ ଦୟା ହେଲା । ଜଣେ ଭର୍ବର ମସ୍ତିଷ୍କ ଚିନ୍ତା କଲେ ଯେ, ଯେଉଁ ଅଞ୍ଚଳରୁ ଖଣିଜ ଦ୍ରବ୍ୟ ଉତ୍ତୋଳିତ ହେଇଥିବ, ସେହି ଅଞ୍ଚଳରେ ଏକ ଖଣିଜ ପାଣ୍ଠି ରହିବ, ଯାହା ଲୋକଙ୍କ ବିକାଶ ପାଇଁ ଖର୍ଚ ହେବ । କେନ୍ଦୁଝରରେ ସବୁଠାରୁ ଅଧିକ ଖଣିଜ ପାଣ୍ଠି ଆଦାୟ ହେଲା। ଜିଲ୍ଲାପାଳ ପୋଖଚ, ରାଜ୍ୟ ସରକାରଙ୍କ କରୁଣାରୁ ପାଖାପାଖୂ ୧୦ ବର୍ଷ କେନ୍ଦୁଝରରେ ରହିଲେ । ଆରକ୍ଷୀ ଅଧୀକ୍ଷକ ମଧ୍ୟ ଚୋଖା । କେନ୍ଦୁଝର ସୁନା ପାଲଟିଯିବା କଥା । ମା’ ତାରିଣୀଙ୍କ ଆଶୀର୍ବାଦ ରହିଛି । କିନ୍ତୁ, ଏମିତି କିଛି ହେଲା ନାହିଁ । ହଜାର ହଜାର କୋଟି ଟଙ୍କାର ଖଣିଜ ପାଣ୍ଠି ଗଲା କୁଆଡେ, କେହି ଜାଣତି ନାହିଁ । ଜିଲ୍ଲାପାଳ ମଇଜ କଲେ, ଏସ୍ପି ସବୁ ଅପରାଧୀଙ୍କୁ ନିଜ ଅଭୟ ଆଶ୍ରୟ ତଳେ ରଖିଲେ । ଜାତୀୟ ମାନବାଧିକାର ଆୟୋଗ ଓ ଅନୁସୂଚିତ ଜନଜାତି ଆୟୋଗ ବିଭିନ୍ନ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କୁ ଡକେଇ ପଠେଇଲେ । ସେ ଜିଲ୍ଲା ମୁଖ୍ୟ, ଏମିତି ପଳେଇବେ ? ତାଙ୍କ ପ୍ରିୟ ତାମିଲ ମାଫିଆ ତାଙ୍କୁ ଅଭୟ ଦେଲେ, ବଡ ଓକିଲ ଦିଆଯିବ, ଲୋକଙ୍କ ଟିକସ ଅର୍ଥରେ ତାଙ୍କୁ ସୁରକ୍ଷା ଦିଆଯିବ, ଯେତେ ଟଙ୍କା ଲାଗୁଛି ଲାଗୁ । ସେ କୁଆଡେ ଯିବେ ନାହିଁ, ହେଇ ପଛେ ସାମ୍ବିଧାନିକ ସଂସ୍ଥା। ସେଇଆ ହେଲା, ଜିଲ୍ଲାପାଳ ଗଲେ ନାହିଁ । ପୂର୍ବରୁ ଜଣେ ମହିଳା ଜିଲ୍ଲାପାଳ ଥିଲେ, ସେ ଜଣେ ଖଣି ମାଲିକଙ୍କ ଟଙ୍କା ପଇସା, ସମ୍ପଦ, ସମ୍ପତ୍ତି ଦେଖି ଏତେ ଖୁସି ହେଇଗଲେ ଯେ, ନିଜ ସ୍ବାମୀଙ୍କୁ ଛାଡି ସେଇ ଖଣି ମାଲିକଙ୍କ ସାଙ୍ଗେ ପଳେଇଲେ । ଏମିତି ବି କେନ୍ଦୁଝର ଖଣି ମାଲିକଙ୍କ ମର୍ଜିରେ ଚାଲେ । ନୂଆ ଜିଲ୍ଲାପାଳଙ୍କ ଉପରେ ଏମିତି ଆଶିଷ ବର୍ଷିଥିଲା ଯେ, ସେ ଓ ଏସ୍ପି ମିଶିକି କେନ୍ଦୁଝରର ସବୁ ଖଣିଜ ସମ୍ପଦକୁ ନିଜ ବାପା ସମ୍ପତ୍ତି ଭାବୁଥିଲେ ! ! ଲୋକେ ସେମିତି ଦରିଦ୍ର ହୋଇ ରହିଥିଲେ । ଏକ ତଥ୍ୟ ଅନୁଯାୟୀ କେନ୍ଦୁଝରର ଅଧିକାଂଶ ଗାଁକୁ ନିତିଦିନିଆ ପକ୍କା ରାସ୍ତା ନାହିଁ । ପିଇବା ପାଣିର ଘୋର ଅଭାବ। ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକା, ଯେଉଁଠାରେ ଛୁଆଙ୍ଗ ଜନଜାତିଙ୍କ ବସଛି, ସେଠାକାର ଲୋକଙ୍କ ଅବସ୍ଥା ଦୟନୀୟ । ପିଇବା ପାଣି ତ ମିଳେ ନାହିଁ ସେମାନଙ୍କୁ, ସର୍ବନିମ୍ନ ଆବଶ୍ୟକତା । ସେମାନଙ୍କ ପାଖରେ ପହଞ୍ଚେ ନାହିଁ । ସାସ୍ଥ୍ୟସେବା ନାହିଁ କହିଲେ ଚଳେ, ଠୁଣୁକା ଠୁଣୁକି ଉପରେ ସେମାନେ ନିର୍ଭର କରନ୍ତି | ଜୁଆଙ୍ଗମାନେ ହେଉଛନ୍ତି ବିଶେଷ ଭାବରେ ପଛୁଆ ଜନଜାତି। ଅତ୍ୟନ୍ତ ଦରିଦ୍ର ସେମାନେ । ଏହା ହିଁ ତ ଏକ ରତ୍ନଗର୍ଭା ଅଞ୍ଚଳର ବିକାଶ ! ! କେନ୍ଦୁଝର ଚାଲିଯାଇଥିଲା ‘ଚକ୍ର-ବ୍ୟୁହ ଭିତରକୁ । ଟ୍ରକ, ପରିବହନ, ଶ୍ରମିକ ଯୋଗାଣ, ତଥାକଥିତ ଅର୍ଥନୈତିକ ବିକାଶ-ସବୁ ଚକ୍ର ହାତରେ। ଏହି ଚକ୍ର କେନ୍ଦୁଝରର ରାଜା । କେନ୍ଦୁଝର କିଛି ବଳ ନେତାଙ୍କୁ ଦେଇଛି, ସେମାନେ ବି ମନ୍ତ୍ରୀ ହୋଇଛନ୍ତି ବାରମ୍ବାର । କିନ୍ତୁ, ଖଣି ସହିତ ପାରିବାରିକ ସମ୍ପର୍କ। ଏବେ ଜଣେ ଖଣି ବ୍ୟବସାୟୀ ନିଜ ଜୀବନୀ ଲେଖି ଜଣାଇଛନ୍ତି ଯେ, ସେ ଜଣେ ମହାନ୍ ବ୍ୟକ୍ତି । ଖୁବ୍ ବଦାନ୍ୟ ଓ ଦାନା ହରିଶ୍ଚନ୍ଦ୍ର | ଆଉ ଜଣେ ତାମିଲ ଖଣି ମାଫିଆ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ତାଙ୍କ ନିଜ ସାନ ଭାଇ ଭୋଗୁଥିଲେ ସରକାର ଓ ମାଫିଆକୁ ବିରୋଧ କରି । ସେ କିନ୍ତୁ ଆଶ୍ଵସ୍ତ ଥିଲେ, ପ୍ରିୟ ଥିଲେ, ବିଶ୍ଵସ୍ତ୍ର ଥିଲେ । ତାମିଲ ମାଫିଆ ମଧ୍ୟ ଏହି ମହାନ ବ୍ୟକ୍ତିଙ୍କ ପ୍ରତି ଖୁବ୍ କରୁଣାମୟ ଥିଲେ । ଏହି ବହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଶିକ୍ଷାବିଚ୍ ମଧ୍ୟ କୃତକୃତ୍ୟ ହୋଇଯାଇଥିଲେ ମହାନ ଖଣି ବ୍ୟବସାୟୀଙ୍କ ସାନ୍ନିଧ୍ୟରେ ! ! ଏହି ଚକ୍ର ରାଜାଟି କିଏ ? ସେ ବାସ୍ତବରେ ଥିଲେ ଜଣେ ପିଆଦା । କେନ୍ଦୁଝରର କରଦ ରାଜା । ସମ୍ରାଟ ବସିଥିଲେ ଭୁବନେଶ୍ୱରରେ। ଭୈରବ ରଡି ଛାଡୁଥିଲା, ଚକ୍ର ସଜାଡି ଦେଉଥିଲା ଭୋଗରାଗ । ଗଣ୍ଡ ଭୈରବ ନିଜ ଭବିଷ୍ୟତକୁ ନେଇ ଏଜେ ନିଃସନ୍ଦେହ ଥିଲାଯେ, ଲୋକଙ୍କ ଅବସ୍ଥା ଯାହା ହେଉ, ଚାରି ଗୁପ୍ତ ଭଣ୍ଡାରଘର ପରିପୂର୍ଣ ହୋଇ ରହୁ ବୋଲି ଚାହିଁ ସେ ଯେଉଁ ଲୁଟ୍ ଚଲେଇଥିଲା, ତାର ଭୟଙ୍କର ଦୃଷ୍ଟାନ୍ତ ଥିଲା ସରଳ, ସ୍ନେହୀ, ଉଦାର କେନ୍ଦୁଝର । ଝରଣା, ପାହାଡ, ଜଳପ୍ରପାଚ ଓ ଅରଣ୍ୟ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝର ହୁଏତ ନୀରବରେ ଅଶ୍ରୁପାତ କରୁଥିଲା, ଅଭିସମ୍ମାନ ଦେଇଥିବ ମଧ୍ୟ। ଚଣ୍ଡ ଭୈରବ ଗଣ୍ଡ ଭୈରବରେ ରୂପାନ୍ତରିତ ହୋଇଗଲା । ସରକାର ଓ ମାଫିଆକୁ ଲୋକେ ଓପାଡି ଫୋପାଢି ଦେଲେ । ପ୍ରଶ୍ନଟି କିନ୍ତୁ ସେତେବେଳର ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ । ବହୁ ପ୍ରୟାସ କରି ଜଣେ ‘କ୍ରୀତଦାସ’ ଏବେ ନିଦରୁ ଉଠି ଏହି ଜିଲ୍ଲାପାଳ ଓ ଏସ୍ପିଙ୍କ ବିରୋଧରେ କହିଛନ୍ତି । ସେ ବି ଚୁପ୍ ଥିଲେ ଏତେ ଦିନ !! ସରକାରୀ କର୍ମଚାରୀ କାହାର ? ସେମାନଙ୍କର ସାମ୍ବିଧାନିକ ପଦବୀ । କିନ୍ତୁ, କାମ କରନ୍ତି ମାଫିଆ, ଗୁଣ୍ଡା ଓ ଦଲାଲଙ୍କ ପାଇଁ ! ! ବଡ ବିଚିତ୍ର ଗଣତାନ୍ତ୍ରିକ ବ୍ୟବସ୍ଥା। ଚକ୍ର ଧରା ପଡିଛି ବା ଚକ୍ରକୁ ଧରାଯାଇଛି। କିନ୍ତୁ, ପିଆଦା କ’ଣ ସବୁକିଛି ? ଲୁଟ୍ ମାଲ୍ କେବଳ ତା ପାଖକୁ ଯାଇଥିଲା ? ୫-ତାମିଲ ( ଫାଇଭ – ଟି) ଚକ୍ରବ୍ୟୁହର ଜଣେ ତାମିଲ ପ୍ରଶାସକ ତଥା ସଂସ୍କୃତିବିନ୍ ଏବେ ତାମିଲନାଡୁର ଭାଷା ବିଶେଷଜ୍ଞ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବାବୁ ତ ୩୦ ବର୍ଷରୁ ଉର୍ଦ୍ଧକାଳ ଓଡିଶାରେ ରହିଲେ । ଅଚାନକ ତାମିଲନାଡୁ ସରକାର ତାଙ୍କ ପାଖରେ ଏତେ ଯୋଗ୍ୟତା ଓ ଅନୁଭବ ଥିବାର ଜାଣିଲେ କେମିତି ? ଏକ ଆଉ ଏକ ମିଶି ଏଗାର ହୁଏ ମାପିଆରାଜରେ। ପ୍ରଶ୍ନ ଉଠୁଛି, ଓଡିଶା ସାରା ଗତ ୨୪ ବର୍ଷ ବିଶେଷ କରି ଗତ ୧୦ ବର୍ଷ ଭିତରେ କେତେ ଠଗ, ଲୁଟେରା, ଡକାୟତ, ଚଣ୍ଡିକଟା ତିଆରି ହୋଇଥିଲେ ଓ ତାମିଲ ମାଫିଆ ଭୈରବ ପାଇଁ କିଳିକିଳା ଭାବ ଦେଇଥିଲେ ? ଯେଉଁ ସମ୍ପଦ ଲୁଟ୍ ହେଉଥିଲା, ସେଥିରେ କିଏ କିଏ ଭାଗ ବାଣ୍ଟୁଥିଲେ ? ଦାରୁଭୂତ ମୁରାରୀ ମୌନୀବାବା ମଧ୍ୟ କିଛି ଚିଲମ୍ ଓ ଇଲମ୍ ପାଉଥିଲେ ତ ? ଏକଥା କହିବ କିଏ ? ଗଣ୍ଡଭୈରବ ଓ ତା’ ପରିତନ୍ତ୍ର ତ ଏବେ ବି ସୁରକ୍ଷିତ ଅଛନ୍ତି । ଏହା ଭିତରେ ଯେବେ ଦୁର୍ନୀତି, ଶୋଷଣ ଓ ଲୁଟଚରାଜର ମାମଲା ସାମ୍ନାକୁ ଆସିଲାଣି, କୌଣସି ମାମଲାରେ ମୁଖ୍ୟ ଅପରାଧୀମାନଙ୍କ ପାଖରେ କେହି ପହଞ୍ଚୁ ନାହାଁନ୍ତି । ସେମାନେ ଆଶ୍ବସ୍ତ ଅଛନ୍ତି। ଗଣ୍ଡଭୈରବ ଏବେ ବି ଅଟ୍ଟହାସ୍ୟ କରୁଛି। ସରକାର ବଦଳିଲେ, ଲୁଟେରାମାନେ ପରିବର୍ତ୍ତିତ ହୁଅନ୍ତି ନାହିଁ । ଗୋନାସିକା କିମ୍ବା ଘାଗରାର ପଥର ତଳେ ଚାପି ହୋଇ ରହିଥାଏ ସାଧାରଣ ଲୋକଙ୍କ ଭାଗ୍ୟ, ସବୁଦିନ। Post navigation ଭାଷା ଓ ବିଭାଜନ