ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ପୋର୍ଟକୁ ହସ୍ତାନ୍ତର ଯିବ । ଓଡ଼ିଶା ଷ୍ଟିଭେଡର୍ସ ହାତରେ ରହିବ ମାତ୍ର ୫ ପ୍ରତିଶତ ଅଂଶଧନ ରହିଛି। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଭାରତର ବୃହତ୍ତମ ବାଣିଜ୍ୟିକ ବନ୍ଦର ଅପରେଟର କମ୍ପାନୀ ଆଦାନୀ ବନ୍ଦର ଏବଂ ସ୍ପେଶାଲ ଇକୋନୋମିକ୍ ଜୋନର ବ୍ୟବସାୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। କମ୍ପାନୀ କ୍ରମାଗତ ଭାବରେ ନୂତନ ବନ୍ଦରଗୁଡିକରେ କାର୍ୟ୍ୟ କରୁଛି । ବର୍ତ୍ତମାନ ଓଡିଶାର ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଅଦାନୀ ପାଖରେ ରହିବ । ଆଜି ସାପୁରଜି ପାଲୋନଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ଓ ଓଡିଶା ଷ୍ଟିଭେଡର୍ସ ଲମିଟେଡରୁ ଆଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଲିମିଟେଡକୁ ଅଂଶଧନ ହସ୍ତାନ୍ତର ପ୍ରସ୍ତାବକୁ ମିଳିଛି କ୍ଯାବିନେଟ ମଞ୍ଜୁରୀ। ଏହାସହ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ, ବାଣିଜ୍ଯ ଓ ପରିବହନ ବିଭାଗ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡ ମଧ୍ଯରେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଏହାକୁ ନେଇ ଏକ ପ୍ରେସ ଇସ୍ତାହାର ପ୍ରକାଶ କରାଯାଇଛି । ଗୋପାଳପୁର ପୋର୍ଟ୍ ଲିମିଟେଡ ଏକ ସଂଗଠନ, ଯେଉଁଥିରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲେ ରୂପ ଲିମିଟେଡ ଓ ସାରା ଇନ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥାଇ ଗୋପାଳପୁର ବନ୍ଦରର ବିକାଶ କରିଥିଲେ । ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା ।

ବର୍ତ୍ତମାନ ଏହି ଗୋପାଳପୁର ବନ୍ଦର ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଅଛି ଏବଂ ଏହାର ମୋଟ ଆୟରୁ ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ୱ ଅଂଶ ଭାବେ ପ୍ରଦାନ କରୁଅଛି । ବିଗତ ଆର୍ଥିକ ବର୍ଷ ୨୦୨୩-୨୪ ରେ ଗୋପାଳପୁର ବନ୍ଦର ରାଜ୍ୟ ସରକାରଙ୍କ ରାଜସ୍ଵ ଅଂଶ ଭାବେ ପ୍ରାୟ ୩୮ କୋଟି ଟଙ୍କା ପଇଠି କରିଅଛି ।

ଗୋପାଳପୁର ପୋର୍ଟର ସେୟାର ହୋଲଡିଙ୍ଗକୁ ଦୃଢ କରିବାକୁ ଏବଂ ଏହାକୁ ମଲ୍ଟି କାର୍ଗୋ ପୋର୍ଟରେ ପରିଣତ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି । ବର୍ତ୍ତମାନ ଗୋପାଳପୁର ବନ୍ଦର ପ୍ରାୟ ୪,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଅଛି । କିଛି ବର୍ଷ ହେବ ଗୋପାଳପୁର ପୋର୍ଟ ନିଜ ଦକ୍ଷତା ଅନୁସାରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଏହାକୁ ଅଧ‌ିକ ସମୃଦ୍ଧ କରିବା ସହ ରାଜ୍ୟର ଆର୍ଥିକ ବିକାଶ କରିବା ଉଦ୍ଦେଶ୍ୟରେ ଆଦାନୀ ଗ୍ରପୁକୁ ଏହାର ୯୫ ପ୍ରତିଶତ ଅଂଶଧନ ହସ୍ତାନ୍ତର କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

 

Leave a Reply

Your email address will not be published. Required fields are marked *