ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଛନ୍ତି । ମାଧୁରୀ ଦୀକ୍ଷିତଙ୍କ ସକ୍ରିୟ ସହଯୋଗରେ ଓଡିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶ ବିଦେଶର ଫେସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ । ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି । ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ବନ୍ଧୁମାନେ ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ଭାରତର ସର୍ବବୃହତ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୩ଟି MOU ସ୍ୱାକ୍ଷରିତ ହୋଇଛି ଏବଂ ଏହା ମାଧ୍ୟମରେ ଟେକ୍ସଟାଇଲ କ୍ଷେତ୍ରରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର ଅଛନ୍ତି । ଓଡିଶା ସରକାର ବରଗଡ଼, କଟକରେ ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କକରୁଛି । ଉତ୍କର୍ଷତା ଏବଂ ନବସୃଜନ ପାଇଁ ଓଡ଼ିଶାର ୪୦ ରୁ ଅଧିକ ମାଷ୍ଟର ବୁଣାକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ୧୨୦ ବର୍ଷ ପୂର୍ବେ ଯେଉଁ ସ୍ଵଦେଶୀ ଆନ୍ଦୋଳନକୁ ଚରିତାର୍ଥ କରିବା ପାଇଁ ଏହା ଆରମ୍ଭ ହୋଇଥିଲା, ଆଜି ମଧ୍ୟ ସମୟ ଆସିଛି ଆମେ ଆମ ବୁଣାକାରଙ୍କୁ ସମ୍ମାନ ଦେବା ଏବଂ ତାଙ୍କ ପ୍ରସ୍ତୁତ ବସ୍ତ୍ର ବ୍ୟବହାର କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଦିବସର ମାସ୍କଟ “ରେଶା” ଏବଂ ହସ୍ତତନ୍ତ ଶିଳ୍ପ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ କରିଥିଲେ । ତତ୍ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟର ହସ୍ତତନ୍ତ ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଯୋଗ୍ୟ ଯେ ଏହି ହସ୍ତତନ୍ତ ମେଳା ଆଜିଠାରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜନତା ମୈଦାନ ଠାରେ ଚାଲିବ । Post navigation କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାରେ ଚିନ୍ତା ପ୍ରକଟ କଲେ ନବୀନ ପଟ୍ଟନାୟକ ନିୟମକୁ ଉଲଂଘନ କରି ତଦନ୍ତ କରୁଛି ପୋଲିସ: କଂଗ୍ରେସ