ସଂଘ ପରିବାର ସହ ଗୁନ୍ଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂସଦ ନିର୍ବାଚନ ପାଇଁ କମର କଷୁଚି । ଯେତେବେଳେ ପାଣ୍ଡିଆନ ସରକାର ବିଭିନ୍ନ ଆଳରେ କଲେଜ ଛାତ୍ର ସଂସଦ ନିର୍ବାଚନ ନକରାଇ ବିଜୁ ଛାତ୍ର ଜନତା ଦଳ ନେତାଙ୍କୁ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ମାତବରୀ କରିବାକୁ ସୁଯୋଗ ଦେଇଥିଲେ ସେତେବେଳେ ଏବିଭିପି ଏହାକୁ ବିରୋଧ କରି ନିର୍ବାଚନ କରାଇବା ଲାଗି ଦାବି କରୁଥିଲା । କିନ୍ତୁ ସେମାନଙ୍କ ଦୁର୍ଭାଗ୍ୟକୁ ପଦ୍ମ ବଳ ଶଙ୍ଖ ସରକାରଙ୍କ ବୋଲକରା ସାଜିଥିଲା । ଏମିତି ହବାକୁ କୁଆଡେ ଉପରୁ ନିର୍ଦ୍ଦେଶ ଆସିଥିଲା । ମଠ ଭଙ୍ଗାକୁ ଯେଉଁ ଦଳ ବିରୋଧ କରି ପାରିଲା ନାହିଁ ସେହି ଦଳ ଏବିଭିପିକୁ କେମିତି ସମର୍ଥନ କରିଥାନ୍ତା ? ଏବେ ତ ଶଙ୍ଖ ସରକାର ନାହିଁ । ରାଜ୍ୟରେ ଡବଲ ଇଞ୍ଜିନ ସରକାର। କିନ୍ତୁ ଗତବର୍ଷ ମନ୍ତ୍ରୀମାନେ କମ୍ପିଟିସନ କରି କଲେଜ ନିର୍ବାଚନ ହବ ବୋଲି କହି ଶେଷରେ ଓଲଟ ବାଜି ମାରିଥିଲେ । ଗଲାବର୍ଷ ଛାତ୍ର ସଂସଦ ନିର୍ବାଚନ ହେଲା ନାହିଁ । ଏଥର ନକଲେ ଡବଲ ଇଞ୍ଜିନ ସରକାରଙ୍କ ଚେହେରା ଉପରୁ ପରଦା ହଟିଯିବ । ଏବିଭିପି ଚାହେଁ ନିର୍ବାଚନ ହଉ । ଛାତ୍ର-ଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସ୍ବୀକୃତି ମିଳୁ । ନୂଆ ନେତୃତ୍ବ ସୃଷ୍ଟି ହୁଅନ୍ତୁ । ଶନିବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ତାଙ୍କ ଘରେ ଭେଟିଥିଲେ । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା କାଳରେ ଧର୍ମେନ୍ଦ୍ର ବାବୁ କୁଆଡେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ି ଥିଲେ । ମୋହନ ଭାଇଙ୍କର ଆଭିମୁଖ୍ୟ କ’ଣ ଏଯାଏଁ ସ୍ପଷ୍ଟ ହେଇନି। କିନ୍ତୁ ୟା’ଭିତରେ ଖବର ଆସିଲାଣି ଯେ, ଭାଜପା ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ଏବିଭିପିର ସମ୍ପର୍କ ଖୁବ୍ ତିକ୍ତ । ଅଭିଳାଷ କୁଆଡେ ଚାହୁଁ ନାହାଁନ୍ତି ସଂସଦ ନିର୍ବାଚନ ହଉ। ବାଲେଶ୍ବର ସୌମ୍ୟା ଆତ୍ମ ଦାହ ଘଟଣା ପରେ ଅଭିଳାଷଙ୍କ ଉପରେ ଭାରି କ୍ଷୁବ୍ଧ ଏବିଭିପିବାଲା । ଯଉଁମାନଙ୍କ ଟାହିଟାପରା ସହି ନପାରି ସୌମ୍ୟା ଚରମପନ୍ଥା ବାଛିଲେ, ଡବଲ ଇଞ୍ଜିନ ସରକାରରେ ସେମାନେ ଆରାମରେ ଅଛନ୍ତି । କିନ୍ତୁ ବିଦ୍ୟାର୍ଥୀ ପରିଷଦର ଯଉଁ ପିଲାମାନେ ସୌମ୍ୟାଙ୍କ ପଛରେ ଠିଆ ହେଇଥିଲେ ସେମାନେ ଏବେ ଜେଲରେ। ବାଲେଶ୍ବର ଘଟଣାକୁ ଅଭିଳାଷ ପୁରା ବରବାଦ କରିଦେଲେ ବୋଲି ବିଦ୍ୟାର୍ଥୀ ପରିଷଦ ନେତାଙ୍କ ଧାରଣା। ଏଣୁ ଆସନ୍ତା ଛାତ୍ର ସଂସଦ ନିର୍ବାଚନରେ ଭାଜପା ଯୁବମୋର୍ଚ୍ଚା ଏବିଭିପିକୁ ପୁରା ଦମ୍ରେ ସହଯୋଗ କରିବ ତ ? Post navigation ଆଜି ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ସାରା ଦେଶ