ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଏହାକୁ ନେଇ ଆଜି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ୍‌ କରି ଆଇନ ମନ୍ତ୍ରୀ କହିଛନ୍ତି ଏହାକୁ ନେଇ ଦ୍ବନ୍ଦ୍ବ ତିଆରି ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି। ପରୋକ୍ଷ ଭାବେ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ। ଏତିକି ବଢିବ ସେତିକି ବଢିବ କହି ଦ୍ବନ୍ଦ୍ବ କରିବା ଠିକ ନୁହେଁ।

ମନ୍ତ୍ରୀଙ୍କ କହିବାନୁଯାୟୀ, ସୀମା ପୁନଃ ନିର୍ଦ୍ଧାରଣ କେବଳ ରାଜନୈତିକ ନୁହେଁ, ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବାର ଏକ ବଡ଼ ପଦକ୍ଷେପ। କେନ୍ଦ୍ର ସରକାର ଆଗାମୀ ଦିନରେ ଏକ “ଐତିହାସିକ ନିଷ୍ପତ୍ତି” ନେବାକୁ ଯାଉଛନ୍ତି, ଯାହା ଭବିଷ୍ୟତ ରାଜନୀତିର ଦିଗକୁ ପରିବର୍ତ୍ତନ କରିପାରେ। ଏହି ପରିପ୍ରେକ୍ଷିତରେ “ସେତିକି ବଢିବ, ଏତିକି ବଢିବ” ବୋଲି ଲୋକମାନଙ୍କ ମଧ୍ୟରେ ଅନାବଶ୍ୟକ ଭ୍ରମ ସୃଷ୍ଟି କରିବା ଉଚିତ୍ ନୁହେଁ।

ପୃଥ୍ଵୀରାଜ ଆହୁରି ମଧ୍ୟ କହିଛନ୍ତି, ଯଦି ସୀମା ପୁନଃ ନିର୍ଦ୍ଧାରଣ ପରେ ସିଟ୍ ସଂଖ୍ୟା ବୃଦ୍ଧି ପାଏ, ତେବେ ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ହେବ। ବଡ଼ ନିର୍ବାଚନ ମଣ୍ଡଳୀ ବଜାୟ ଯଦି ସମାନ ଆକାରର ମଣ୍ଡଳୀ ରହେ, ତେବେ ଜନପ୍ରତିନିଧିମାନଙ୍କ ପାଇଁ କାମ କରିବା ସହଜ ହୁଏ। ଏହି ଦୃଷ୍ଟିକୋଣରୁ ସରକାର ଏହାକୁ ଗଠନାତ୍ମକ ପଦକ୍ଷେପ ଭାବେ ଦେଖୁଛି।

ସୂଚନା ଯୋଗ୍ୟ; ସୀମା ପୁନଃ ନିର୍ଦ୍ଧାରଣ ବିଷୟକୁ ନେଇ ବୁଧବାର ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଗତକାଲି ଲେଖିଥିବା ଚିଠିରେ ନବୀନ କହିଛନ୍ତି, ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍‌ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଲୋକ ସଭା ସଦସ୍ୟ ସଂଖ୍ୟା ୫୪୩ରୁ ବୃଦ୍ଧି ପାଇ ୮୫୦ ହେବ। ବର୍ତ୍ତମାନ ଓଡ଼ିଶାର ଲୋକ ସଭା ଆସନ ସଂଖ୍ୟା ୨୧ ରହିଛି, ଯାହା ମୋଟ୍‌ ଆସନ ସଂଖ୍ୟାର ୩.୯%। ମାତ୍ର ଉପରୋକ୍ତ ସଂଶୋଧନ ବିଲ୍‌ ଯଦି ପାରିତ ହୁଏ, ତେବେ ରାଜ୍ୟରେ ଲୋକ ସଭା ଆସନ ସଂଖ୍ୟା ୨୯କୁ ବୃଦ୍ଧି ପାଇବ। ଏହାଦ୍ୱାରା ଆନୁପାତିକ ହାରରେ ମୋଟ୍‌ ଆସନ ସଂଖ୍ୟାର ୩.୯% ହାର ୩.୪%କୁ ହ୍ରାସ ଘଟିବ।

Leave a Reply

Your email address will not be published. Required fields are marked *