ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (SEC) ସବୁଜ ସଙ୍କେତ ଦେଇଛନ୍ତି। ଗତ ଡିସେମ୍ବର ମାସରେ ସହରାଞ୍ଚଳ ଶାସନ ଏବଂ ବିକେନ୍ଦ୍ରୀକରଣ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ୧୪ଟି ଜିଲ୍ଲାରେ ୨୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଘୋଷଣା କରି ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲେ। ତେଣୁ ଆସନ୍ତା ଜୁନ୍ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି ଅବଗତ କରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ପୌର ନିର୍ବାଚନ ଜୁନ୍ ୨୦୨୬ ରେ ଅନୁଷ୍ଠିତ ହୋଇପାରେ। ୧୪ଟି ଜିଲ୍ଲାର ଘୋଷିତ ୨୪ଟି ଏନ୍ଏସିରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ। ଏହାପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଭୋଟର ତାଲିକା ପ୍ରସ୍ତୁତି ଲାଗି ୪୫ ଦିନ ଓ ଭୋଟ୍ ପ୍ରକ୍ରିୟା ଲାଗି ୩୫ ଦିନ ଲାଗିବ। ଫଳରେ ଜୁନ୍ ଶେଷ ସୁଦ୍ଧା ସମସ୍ତ ନୂତନ ଏନ୍ଏସିରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ, ପ୍ରସ୍ତୁତି ପୂର୍ବରୁ ଆରମ୍ଭ ହୋଇସାରିଛି। ସେହିପରି ଆସନ୍ତାବର୍ଷ ମାର୍ଚ୍ଚରେ ପଞ୍ଚାୟତ ସମିତି ଓ ଏପ୍ରିଲ୍ରେ ପୌର ପରିଷଦ କାର୍ଯ୍ୟକାଳ ଶେଷ ହେଉଛି। ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର। ୨୦୨୭ ଫେବ୍ରୁଆରି ସୁଦ୍ଧା ପଞ୍ଚାୟତ ନିର୍ବାଚନ, ମାର୍ଚ୍ଚ ସୁଦ୍ଧା ପୌର ନିର୍ବାଚନ ଏବଂ ଏପ୍ରିଲରେ ମହାନଗର ନିଗମର ନିର୍ବାଚନ ସରିବ। ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ। ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର ଓ ନିର୍ବାଚନ କମିସନରଙ୍କ ସଚିବ ସନ୍ତୋଷ ଦାସଙ୍କ ସମେତ ଡିଭିଜନ୍ ଅନ୍ତର୍ଗତ ସମସ୍ତ ୮ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମ କମିସନର ଉପସ୍ଥିତ ଥିଲେ। Post navigation Sundargarh Group Clash: ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ବଦଳିଲେ IIC Odisha High Court Issues Arrest Warrant: ବଢ଼ିଲା ଗଣଶିକ୍ଷା ସଚିବଙ୍କ ଅଡୁଆ