ଏଣିକି ପଞ୍ଚମ ଓ ଅଷ୍ଟମରେ ସପ୍ଲିମେଣ୍ଟାରି ପରୀକ୍ଷା । ପରୀକ୍ଷାରେ ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ପଞ୍ଚମ ଓ ଅଷ୍ଟମର ଛାତ୍ରଛାତ୍ରୀ। ଏ ନେଇ ନୂଆ ଗାଇଡ୍ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ । ପଞ୍ଚମ ଓ ଅଷ୍ଟମରେ ୫୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷାରେ ପାସ୍ ନ କଲେ ସପ୍ଲିମେଣ୍ଟାରି ଦେବେ । ଯଦି ଛାତ୍ରଛାତ୍ରୀ ପୁନଃ ପରୀକ୍ଷାରେ ପାସ୍ କରନ୍ତି, ତେବେ ସେମାନେ ଉତ୍ତୀର୍ଣ୍ଣ ହେବେ ଏବଂ ପରବର୍ତ୍ତୀ ଶ୍ରେଣୀକୁ ପ୍ରୋତ୍ସାହିତ ହେବେ। କିନ୍ତୁ ପୁନଃ ପରୀକ୍ଷାରେ ମଧ୍ୟ ଫେଲ୍ ହେଲେ ସେମାନେ ସେହି ଶ୍ରେଣୀରେ ହିଁ ପଢ଼ିବେ। ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ। ସେହିପରି ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ। ପ୍ରଶ୍ନପତ୍ରରେ ସମିଟିଭ୍ ଆସେସ୍ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦ ପ୍ରତିଶତ ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦ ପ୍ରତିଶତ ପ୍ରଶ୍ନ ରହିବ। ୩୦ ପ୍ରତିଶତ ସହଜ, ୪୦ ପ୍ରତିଶତ ହାରାହାରି ଓ ୩୦ ପ୍ରତିଶତ କଷ୍ଟକର ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୩୦ ମାର୍କର ଓ ଦୀର୍ଘ ଉତ୍ତରମୂଳକ ୨୦ ମାର୍କର ରହିବ। ସ୍କୁଲ ସ୍ତରରେ ବିଷୟଭିତ୍ତିକ ଶିକ୍ଷକଙ୍କ ଦ୍ୱାରା ଉତ୍ତରଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯିବ। ଫେବ୍ରୁଆରିରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ। ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍ଟି ଆଣ୍ଡ ଏସ୍ସି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍ବୁକ୍ ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ୱରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି। ଟିଇ ଆଣ୍ଡ୍ ଏସ୍ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି। ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। Post navigation Bihar Elections: ବିହାର ନିର୍ବାଚନ; ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ଭୟ ମହା ପ୍ରଭାବ: ସିବିଆଇ ତଦନ୍ତ ନିଷ୍ପତ୍ତି ନେଲେ ମୋହନ ସରକାର