ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ହତ୍ୟାକାଣ୍ଡର ପ୍ରାୟ ଦୀର୍ଘ ୧୭ ଦିନ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରି ସମସ୍ତ ଘଟଣାର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି। ସେ କହିଛନ୍ତି ରାଜନୈତିକଠାରୁ ଆରମ୍ଭ କରି ବୃତ୍ତିଗତ ଶତ୍ରୁତା ଥିଲା ମୁଖ୍ୟ କାରଣ । ହତ୍ୟାକାଣ୍ଡ ପାଇଁ ପ୍ରଥମ ପ୍ରୟାସରେ ହୋଇଥିଲେ ବିଫଳ ଏବଂ ଦ୍ୱିତୀୟ ପ୍ରୟାସରେ ଯୋଜନାକୁ ଦିଆଯାଇଥିଲା ହତ୍ୟାର ରୂପ । ଏଥିପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା।

ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା । ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିବା ବେଳେ କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ଏହି ସବୁରେ ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ ଏବଂ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି ।

ଏସପି ଆଉ ମଧ୍ୟ କହିଛନ୍ତି ଗତ ସେପ୍ଟେମ୍ବର ୧୦ରୁ ୧୪ ଭିତରେ ପୀତବାସ ପଣ୍ଡାଙ୍କୁ ହତ୍ୟା ଯୋଜନା ହୋଇଥିଲା । ସେଥିପାଇଁ ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ୪ ଜଣ ସୁଟରଙ୍କୁ ଡକାଇଥିଲା । ମଳୟ ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ । ମେଡିକାଲ କାମରେ ଆସିଛନ୍ତି ବୋଲି ମଳୟ ବିଷୋୟୀ କହିଥିଲେ । ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରିଗଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା ।

ଏହାପରେ ପୀତବାସ ପଣ୍ଡାଙ୍କ ଘର ପାଖରେ ଭଡ଼ାରେ ଆସି ରହିଥିଲେ ସୁଟର । ପ୍ରଥମ ଉଦ୍ୟମ ବିଫଳ ହେବା ପରେ ମାତ୍ର ୨ ଶହ ମିଟର ଦୂରରେ ରହିଥିଲେ । ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ । ଚିଣ୍ଟୁ ପ୍ରଧାନ ବେଙ୍ଗାଳୁରୁରୁ ଆସିଥିଲେ, ଯୋଡ଼ି ହୋଇଥିଲେ କୁରୁପତି ଭୂୟାଁ ।ଘଟଣା ଦିନ ନୂଆ ଡ୍ରେସ, ନୂଆ ଜୋତା ପିନ୍ଧି ବାଇକ୍‌ରେ ଆସିଥିଲେ । ପୀତବାସଙ୍କ ଅଟକାଇ ନମସ୍କାର ହୋଇଥିଲେ, ଏହାପରେ ଗୁଳି ଚଳାଇଥିଲେ । ଚିଣ୍ଟୁ ପ୍ରଧାନ ଗାଡ଼ି ଡ୍ରାଇଭ୍‌ କରିଥିଲେ, କୁରୁପତି ଗୁଳି ଚଳାଇଥିଲେ । ଗୁଳି କରିବା ପରେ ଖସି ଯାଇ ଶୀତଳାପଲ୍ଲୀରେ ଡ୍ରେସ୍‌ ବଦଳାଇଥିଲେ । ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ବରମରେ ପହଞ୍ଚିଥିଲେ ।ରାମେଶ୍ବରମରେ ଗାଡ଼ିଟି ଛାଡ଼ି ପୁରୀ ପଳାଇଯାଇଥିଲେ ।

ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି । ଏବଂ ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି । ସମସ୍ତ ପ୍ରମାଣକୁ ନେଇ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୩ ଫେରାର ଅଛନ୍ତି ।

ସୂଚନା ଯୋଗ୍ୟ; ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଦୁଇ ଜଣ ଗୁଳି କରି ହତ୍ୟା କରାଯାଇଥିଲା । ଏଥିପାଇଁ ବୈଦ୍ୟନାଥପୁର ଥାନା ପୋଲିସରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ବ୍ରହ୍ମପୁର ଏସପିଙ୍କ ତତ୍ୱାବଧାନରେ ୬ଟି ଟିମ୍ ଗଠନ କରାଯାଇଥିଲା । ଆଜି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ।

Leave a Reply

Your email address will not be published. Required fields are marked *