ରାଜ୍ୟସଭା ନିର୍ବାଚନ ଆହୁରି ପ୍ରାୟ ୬ମାସ ବାକିଅଛି। ଏଥର ୪ଟି ଆସନ ପାଇଁ ନିର୍ବାଚନ ହେବ । ଏହି ୪ ଆସନ ଭିତରୁ ଦୁଇଟି ଭାଜପା ଓ ଅନ୍ୟ ଦୁଇଟି ବିଜଦ ହାତରେ ଅଛି । ବିଜୁ ଜନତା ଦଳ ନିଜ କ୍ଷମତା ବଳରେ ଗୋଟିଏ ଆସନ ଆରାମରେ ଜିଣିବ । ଏହି ନିରାପଦ ଆସନ ସକାଶେ ଆଶାୟୀଙ୍କ ଅଭାବ ନାହିଁ । ତେବେ ଯେଉଁ ୩ଜଣଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି, ସେମାନେ ହେଲେ ବଶିଷ୍ଠ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ। କିଏ ହେବ ସୌଭାଗ୍ୟବାନ ?

ଯେଉଁ ୪ ଜଣଙ୍କ କାର୍ଯ୍ୟକାଳ ସରୁଛି ଆସନ୍ତାବର୍ଷ, ସେମାନେ ହେଲେ ଭାଜପାର ସୁଜିତ କୁମାର ଓ ମମତା ମହାନ୍ତ ଏବଂ ବିଜଦର ମୂନା ଖାଁ ଓ ନିରଞ୍ଜନ ବିଶି । ମଜାର କଥା ୨୦୨୦ ରାଜ୍ୟସଭା ନିର୍ବାଚନରେ ସୁଜିତ ଏବଂ ମମତା ବିଜଦ ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଗତବର୍ଷ ସେମାନେ ପରପର ହୋଇ ବିଜଦ ଛାଡ଼ିଲେ ଏବଂ ଭାଜପାରେ ଯୋଗଦେଲେ । ସେମାନଙ୍କୁ ଭାଜପା ଅବଶିଷ୍ଟ ଦିନ ପାଇଁ ରାଜ୍ୟସଭା ସଦସ୍ୟ ଭାବେ ବାଛିଥିଲା ।

ସୁଜିତ ଓ ମମତା ପୁଣିଥରେ ଭାଜପା ଟିକଟ ପାଇବା ସମ୍ଭାବନା କ୍ଷୀଣ। ଭାଜପାର ୭୮ ଜଣ ସଦସ୍ୟ ଅଛନ୍ତି । ୩ ଜଣ ସ୍ବାଧୀନ ସଦସ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି । ସଂଖ୍ୟା ବଳରେ ଭାଜପା ୨ଟି ଆସନ ପାଇବ । ଯେତେ ସମ୍ଭବ ମନେହୁଏ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଥମ ଆସନଙ୍କୁ ଭାଜପାର ପ୍ରାର୍ଥୀ ହେବେ । ଦ୍ବିତୀୟ ଆସନ ପାଇଁ ଅନେକ ଦାବିଦାର ଥିଲେ ହେଁ ହାଇକମାଣ୍ଡଙ୍କ ହାତରେ ଚାବି କାଠି। ହୁଏତ ରାଜ୍ୟ ବାହାରୁ କେହି ଓଡ଼ିଶାରୁ ରାଜ୍ୟସଭାକୁ ଯାଇପାରନ୍ତି।

ବିଜଦର ୫୧ ବିଧାୟକ ଅଛନ୍ତି । ତେଣୁ ଆବଶ୍ୟକ ସଂଖ୍ୟାକୁ ଦେଖିଲେ ଜଣେ ପ୍ରାର୍ଥୀ ନିରାପଦରେ ବିଜଦ ଟିକଟରେ ରାଜ୍ୟସଭାକୁ ଯାଇପାରିବେ। ବାକି ୧୩ଟି ଭୋଟ ବିଜଦର ନେତୃତ୍ବ ଋ’ଣ କରିବେ, ତାହା ନବୀନ ପଟନାୟକ ଜାଣନ୍ତି । କଂଗ୍ରେସ ହାତରେ ନିଜର ୧୪ ଏବଂ ମାକପାର ଗୋଟିଏ ଭୋଟ ଅଛି। ତଥାପି ଚତୁର୍ଥ ଆସନ ପାଇଁ ଦୁଇଦଳ ଯଦି ମିଳିତ ପ୍ରାର୍ଥୀ ଦିଅନ୍ତି, ତେବେ ଆହୁରି ୭ରୁ ୮ଟି ଭୋଟ ଦରକାର ପଡ଼ିବ।

କିନ୍ତୁ ମଜାର କଥା ବିଜଦର ନିରାପଦ ଆସନଟି ଲାଗି ଦାବିଦାରଙ୍କ ସଂଖ୍ୟା କିଛି କମ ନୁହେଁ । କିନ୍ତୁ ନେତୃତ୍ବର ମନୋଭାବ ଯାହା କୌଣସି ପୁରୁଖା ନେତାଙ୍କୁ ରାଜ୍ୟସଭା ଟିକଟ ମିଳିବ ନାହିଁ । ବର୍ତ୍ତମାନ ଅନୁଗତ ଯୁବ ବିଧାୟକଙ୍କ ଭିତରୁ କେହି ଟିକଟ ପାଇପାରନ୍ତି ।

ତେବେ ଯେଉଁ ୩ ଜଣଙ୍କ ନାଁ ଚର୍ଚ୍ଚା ପରିସରରେ ଅଛି, ସେମାନେ ହେଲେ ଅଭିଜ୍ଞ ଓ ବରିଷ୍ଠ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ । ପିଏସିରେ ସ୍ଥାନ ନପାଇବା କାରଣରୁ ଦେବୀ କ୍ଷୁବ୍ଧ ଥିଲେ। କିନ୍ତୁ ବୁଝାସୁଝା ପରେ ସେ କାର୍ଯ୍ୟାଳୟ ମୁଖ୍ୟ ଓ ବରିଷ୍ଠ ଉପସଭାପତି ଦାୟିତ୍ଵ ତୁଲାଉଛନ୍ତି । ସଂକଟ ମୋଚନର କାମ ମଧ୍ୟ କରୁଛନ୍ତି । କିନ୍ତୁ ବରିଷ୍ଠମାନଙ୍କୁ ଆଉ ରାଜ୍ୟସଭା ଟିକଟ ମିଳିବା ସମ୍ଭାବନା ମଉଳିଛି ବୋଲି ମନେକରାଯାଉଛି।

ବାକି ରହିଲେ ସଞ୍ଜୟ ଓ ଅତନୁ। ଉଭୟ ପରାଜିତ ହୋଇଛନ୍ତି ବିଧାନସଭା ନିର୍ବାଚନରେ। ସଞ୍ଜୟ ଦୁଇଥର ହାରି ସାରିଲେଣି। ଆସନ ବଦଳାଇବା ପରେ ମଧ୍ୟ ହାରିଛନ୍ତି। ଅତନୁ କେବଳ ଗତଥର ହାରିଛନ୍ତି ଏକଦା ତାଙ୍କର ଗଡ଼ ଥିବା ମହାକାଳପଡ଼ାରୁ। ପୁଣି ପରାଜୟ ବ୍ୟବଧାନ ବହୁତ ବଡ଼। ଦୀର୍ଘଦିନ ଧରି ଅତନୁ ବିଜୟ ମହାପାତ୍ର କାର୍ଡ଼ ଖେଳି ଆସୁଥିଲେ । ଏଥିପାଇଁ ତାଙ୍କୁ ବିଜଦ ନେତୃତ୍ୱ ଗୁରୁତ୍ବ ଦେଉଥିଲେ। ଏବେ ସେ ସ୍ଥିତି ଆଉ ନାହିଁ । ତଥାପି ବିଜଦ ହାଇକମାଣ୍ଡଙ୍କ ଗୁଡ୍‌ ବୁକ୍‌ରେ ଅଛନ୍ତି ଅତନୁ। ତାଙ୍କୁ କୁଆଡ଼େ ଟିକଟ ପ୍ରତିଶ୍ରୁତି ମିଳିଛି । କିଏ ପ୍ରତିଶ୍ରୁତି ଦେଇଛନ୍ତି, ଏତେ ଆଗରୁ ଏଭଳି ପ୍ରତିଶ୍ରୁତିର ମାନେ କ’ଣ ଅଛି, ତାହା ତର୍ଜମା ସାପେକ୍ଷ। କିନ୍ତୁ ନବୀନ ହିଁ ଏତେ ଆଗରୁ ରାଜ୍ୟସଭା କାର୍ଡ଼ ଖେଳି ଦଳରେ ସାନି ଅସନ୍ତୋଷ ସୃଷ୍ଟି କରିବେ ନାହିଁ । ସବୁ ଆସନ୍ତା ମାର୍ଚ୍ଚ,ଏପ୍ରିଲ ବେଳକୁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *