ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲେ ମହିଳା କଂଗ୍ରେସ ସଭାନେତ୍ରୀ । ଦିଲ୍ଲୀର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିଫଳତାକୁ କଡ଼ା ସମାଲୋଚନା କରିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏବଂ କଟକ ବିଧାୟକ ସୋଫିଆ ଫିର୍ଦୋସ । ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ଅଳକା ଲାମ୍ବା କହିଛନ୍ତି ଯେ ଦୀର୍ଘ ୧୧ ଦିନ ଧରି ପୀଡ଼ିତା ନ୍ୟାୟ ମାଗିଲେ କିନ୍ତୁ ଅଭିଯୋଗ ପରେ ବି ତଦନ୍ତ କରାଗଲା ନାହିଁ । ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲା ନାହିଁ । ଗୁହାରି କରି କରି ଥକିଯାଇ ଶେଷରେ ସେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । ସେ ପୁଣି କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାଗସ୍ତରେ ଆସୁଥିବାବେଳେ ଏମ୍ସ ଭୁବନେଶ୍ଵରକୁ ଆସୁଛନ୍ତି । ଏମ୍ସ ଭୁବନେଶ୍ଵର ହସ୍ପିଟାଲ ରେ ଫକୀର ମୋହନ କଲେଜର ଛାତ୍ରୀ ଏବଂ ତାଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଥିବା ଆଉଜଣେ ସହଯୋଗୀ ଛାତ୍ର ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଦେଖା କରିବାକୁ ଲାମ୍ବା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ଡବଲ ଇଞ୍ଜିନ ସରକାରରେ ଅପରାଧ ବଢ଼ିଲା । କଡ଼ା ଦଣ୍ଡବିଧାନ ସତ୍ତ୍ୱେ ମାମଲା ବଢ଼ୁଛି । ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି ବୋଲି ସେ କହିଛନ୍ତି । ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ଯେ ନିଜର ଆତ୍ମ ସମ୍ମାନ ରକ୍ଷା କରିବାକୁ ଯାଇ ଜଣେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଛି କିନ୍ତୁ ନିଜକୁ ସରଣ୍ଡର କରିନାହିଁ । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଚିନ୍ତାର କାରଣ ପାଲଟିଛି । ବାଲେଶ୍ୱର ଘଟଣା ସମସ୍ତଙ୍କ ପାଇଁ ଜାଗ୍ରତ ଘଣ୍ଟି । ବାଲେଶ୍ଵର ଛାତ୍ରୀ ଆତ୍ମ ଦାହ ଘଟଣା ଏବଂ ରାଜ୍ୟରେ ଲଗାତାର ମହିଳା ନିର୍ଯ୍ୟାତନା ପ୍ରତିବାଦରେ ଯୁବ ଏବଂ ଛାତ୍ର କଂଗ୍ରେସ ତରଫରୁ ଗତକାଲି ମୁଖ୍ୟମନ୍ତ୍ରୀ ବାସ ଭବନ ଘେରାଉ କରାଯାଇଥିଲା । Post navigation ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ବୋଲ ବମ ଧ୍ୱନିରେ କମ୍ପୁଛି ଶୈବପୀଠ ଆଜି ବି ଜଟିଳ ରହିଛି ବାଲେଶ୍ବର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା