ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ସହ ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ଦଳାଚକଟା ଅଘଟଣ ପାଇଁ ଜଗନ୍ନାଥ ପ୍ରେମୀଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗଭୀର ସମବେଦନା ଜଣାଇ କହିଛନ୍ତି ମୁଁ ଏବଂ ମୋ ସରକାର କ୍ଷମା ପ୍ରାର୍ଥନା କରୁଛୁ । ଏଭଳି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ଆଜି ଭୋରୁ ପୁରୀ ଶରଧାବାଲିରେ ଆଜି ଭୋର ୪ ବେଳେ ରଥ ସମ୍ମୁଖରେ ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ପରିସ୍ଥିତି ହୋଇଥିଲା। ଏହି ଠେଲାପେଲାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ଭିତରୁ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ ।

Leave a Reply

Your email address will not be published. Required fields are marked *