କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶରେ ଖୋଲିବାକୁ ଯାଉଛି ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଭାରତ ସରକାର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ପ୍ରାୟ ୫୮୭୨ କୋଟି ଟଙ୍କା ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୨୩୫୯ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ଦ୍ବାରା ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ । ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଶିକ୍ଷାର ଭିତ୍ତିଭୂମିର ବିକାଶ ହେବ । ଛାତ୍ରଛାତ୍ରୀ ବିଶେଷ ଭାବରେ ଏସସି, ଏସଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନରେ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ, କ୍ରିଟିକାଲ ଥଙ୍କି ସହ ବୌଦ୍ଧିକ କ୍ଷମତା ବିକଶିତ ହେବ । ସ୍ଥାନୀୟ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି ହେବ ।

ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବାର ନିଷ୍ପତ୍ତି ଦ୍ବାରା ସ୍ଥାନୀୟ ଲୋକମାନଙ୍କର ଥିବା ଦୀର୍ଘ ଦିନର ଆଶା ଓ ଅପେକ୍ଷା ପୂରଣ ହେବାକୁ ଯାଉଛି । ଓଡ଼ିଶାରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ନୂଆ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ‘ପିଏମ୍ ଶ୍ରୀ’କୁ ଅଣାଯାଇଛି । ସମସ୍ତ କେଭି ଓ ନବୋଦୟ ବିଦ୍ୟାଳୟକୁ ‘ପିଏମ ଶ୍ରୀ’ ସ୍କୁଲ ଭାବେ ନାମିତ କରାଯିବ ।

କ୍ୟାବିନେଟରେ ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି ଘଟିବ । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ସାରା ଦେଶରେ ଲାଗୁ କରିବାକୁ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଅନେକ ଗରିବ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ବିଶେଷ ଭାବେ ଉପକୃତ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *