ବିଜୁ ଜନତା ଦଳକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବୁଥିବା ଦୁଇଜଣ ନେତାଙ୍କ ପାଇଁ ଏବେ ଦଳ ଖଣ୍ଡଖଣ୍ଡ ହେବାକୁ ଯାଉଛି । ଗତ ୫ ବର୍ଷ ଧରି ଭୁବନେଶ୍ବର ବିଜଦରେ ଲାଗି ରହିଥ‌ିବା ବିଶୃଙ୍ଖଳା ପାଇଁ ଅଶୋକ ପଣ୍ଡା ଓ ଅନନ୍ତ ଜେନା ବିଜେଡି ଭଙ୍ଗା ଅଭିଯାନରେ ଲିପ୍ତ ରହିଛନ୍ତି । ଏହି ଦୁଇଜଣଙ୍କ ବିରୋଧରେ ପୂର୍ବରୁ ବହୁବାର ଦଳୀୟ ଫୋରମରେ ସଭାପତିଙ୍କୁ ଜଣାଇ ଦିଆଯାଇଛି। ଏଭଳି ବିଶୃଙ୍ଖଳା ପାଇଁ ସେମାନଙ୍କୁ ନୋଟିସ ଦେବା ନିମନ୍ତେ ଏବେ ଉପଯୁକ୍ତ ସମୟ ଆସିଛି ବୋଲି ବିଏମ୍‌ସିର ଦୁଇ କର୍ପୋରେଟର ଅମରେଶ ଜେନା (ବାୟାଁ) ଓ ବିରଞ୍ଚି ନାରାୟଣ ମହାସୂପକାର (ଲିଟୁ) ମଙ୍ଗଳବାର ଦାବି କରିଛନ୍ତି ।

ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ କାରଣ ଦର୍ଶାଇବା ନିମନ୍ତେ ଦଳ ଦେଇଥିବା ନୋଟିସର ଉତ୍ତର ଦେବାପରେ ଉଭୟ କର୍ପୋରେଟର ଏହି ଦାବିକୁ ଶାଣିତ କରିଛନ୍ତି । ବିଜଦକୁ ରକ୍ଷା କରିବାକୁ ହେଲେ ଏହି ଦୁଇ ଦୋଷୀଙ୍କ ସମ୍ପର୍କରେ ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାୟାଁ-ଲିଟୁ ଦାବି କରିଛନ୍ତି ।

ଭୁବନେଶ୍ବର ବିଜୁ ଜନତା ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଉପରେ ଏହି ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଇବା ପାଇଁ ଦଳ ପକ୍ଷରୁ ୧୫ ଦିନିଆ ନୋଟିସ ଜାରି କରାଯାଇଥିଲା। ୧୪ ତାରିଖ ସୁଦ୍ଧା ଦୁଇ କର୍ପୋରେଟର ସେମାନଙ୍କ ବିରୋଧରେ ଅଣାଯାଇଥ‌ିବା ଅଭିଯୋଗ ଭିତ୍ତିହୀନ ଓ ତଥ୍ୟ ଉପରେ ଆଧାରିତ ନଥିବା ଦର୍ଶାଇ ଦଳର ସଭାପତିଙ୍କୁ ଅବଗତ କରାଇଛନ୍ତି ।

୧୦ଟି ବିନ୍ଦୁ ଉପରେ ପ୍ରତ୍ୟେକଟି ଘଟଣାକୁ ସଭାପତିଙ୍କୁ ଲେଖି ଜଣାଇଛନ୍ତି । ଯେଉଁଥିରେ ଗତ ୫ ବର୍ଷ ଧରି ଭୁବନେଶ୍ବର ବିଜଦରେ ଲାଗି ରହିଥ‌ିବା ବିଶୃଙ୍ଖଳା ପାଇଁ ନାମ ନେଇ ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କୁ ଇଙ୍ଗିତ କରିଛନ୍ତି । ଏମାନେ କରୁଥିବା କାର୍ଯ୍ୟକଳାପ ସମ୍ପର୍କରେ ପୂର୍ବରୁ ଦଳୀୟ ଫୋରମରେ ଅଭିଯୋଗ କରାଯାଇଛି । ଯେଉଁମାନେ ଦଳ ପାଇଁ କଠିନ ତ୍ୟାଗ କରିଛନ୍ତି, ସେମାନଙ୍କୁ ଜଣ ଜଣ କରି ଦଳରୁ ବାହାର କରିବା ଲାଗି ଏହି ଦୁଇଜଣ ଷଡ଼ଯନ୍ତ୍ର ଜାରି ରଖୁଛନ୍ତି । ବିଜଦ ସଂଗଠନ ଠନ ଆରମ୍ଭରୁ ଯେଉଁମାନେ ନିଜର ସବୁକିଛିକୁ ତ୍ୟାଗ କରି ଦଳୀୟ କାର୍ଯ୍ୟରେ ଲାଗିଛନ୍ତି, ସେମାନଙ୍କୁ ଏହି ଦୁଇଜଣ ସହ୍ୟ କରିପାରୁ ନାହାନ୍ତି । ମିଥ୍ୟା ଅଭିଯୋଗ ଆଣି ନିଜ ରାସ୍ତା ସଫା କରିବା ନିମନ୍ତେ ନେତୃତ୍ୱ ନିକଟରେ ମିଛ କହି ଦଳକୁ ଧରାଶାୟୀ କରିବାକୁ ଚାହୁଁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *