ଓଡ଼ିଆ ଅସ୍ମିତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ନେଇ ବୟାନବାଜି ହେଉଥିବା ବେଳେ ଦିନକୁ ଦିନ ରାଜନୀତି ସରଗରମ ହେଉଛି । କାଲି ଏହି ପ୍ରସଙ୍ଗରେ ନବୀନ ବାବୁ ଟ୍ୱିଟ କରି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ରେଭେନ୍ସା ସହ ଅନେକଙ୍କ ଭାବାବେଗ ଯୋଡି ହୋଇଛି। ତେବେ ବିଜେପି ସବୁବେଳେ ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେବା କଥା କହୁଥିବା ବେଳେ ନାଁ ପରିବର୍ତ୍ତନ କରିବା କଣ ଆମ ଓଡ଼ିଆ ଅସ୍ମିତା ? ସେହିପରି ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?

ଶ୍ରୀ ପଟ୍ଟନୟକଙ୍କ ଏଭଳି ମନ୍ତବ୍ୟ ପରେ ଆଜି ବିଧାୟକ ଶ୍ରୀ ମିଶ୍ର ଏହାର ଜବାବ ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ‘ଅସ୍ମିତାର ମର୍ମ ବୁଝିବାକୁ ନବୀନ ବାବୁଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ। ‘ଓଡ଼ିଶାର ଜନତା ତାକୁ ବୁଝି ଠିକଣା ଜବାବ ଦେଇଛନ୍ତି, ଆପଣଙ୍କ ନେତୃତ୍ବାଧୀନ ସରକାରକୁ ବିଦା କରିଛନ୍ତି । ଇଂରେଜ ଅଫିସର ଟି.ଇ ରେଭେନ୍ସାଙ୍କ ପାଇଁ ଏତେ ଦରଦ କାହିଁକି ?’ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ‘ନବୀନ ବାବୁ, ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ । ବିଜେପି କହିବା ଆଉ କରିବାରେ ବିଶ୍ୱାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ ଦେଇ ସରକାର ଗଠନରେ ସହାୟକ ହୋଇଛନ୍ତି । ଆପଣ ରିଲ କୁ ଭାଇରାଲ କରାଇବାରେ ବିଶ୍ୱାସ କରନ୍ତି, ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ୱାସ ରଖେ । ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି’ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *