ତଲାକ୍ ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ଏଣିକି ତଲାକ୍ ପରେ ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ମୁସଲମାନ ମହିଳା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC ର ଧାରା ୧୨୫ ଅନୁଯାୟୀ ନିଜ ଛାଡପତ୍ର ପରେ ସ୍ବାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ ବୋଲି ବିଚାରପତି ବି.ଭି. ନାଗାରତ୍ନ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାଶିହଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ନିଜ ରାୟରେ ପ୍ରକାଶ କରିଛନ୍ତି।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଛନ୍ତି, କେତେକ ସ୍ବାମୀ ଜାଣି ନାହାଁନ୍ତି ଯେ ସେମାନଙ୍କ ସ୍ତ୍ରୀ ଜଣେ ଗୃହିଣୀ, କିନ୍ତୁ ଏହି ଗୃହିଣୀଙ୍କ ପରିଚୟ ଭାବପ୍ରବଣ ତଥା ଅନ୍ୟାନ୍ୟ ଉପାୟରେ ସେମାନଙ୍କ ଉପରେ ହିଁ ନିର୍ଭର କରେ। ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ଭରଣ ପୋଷଣର ଅଧିକାର ପାଇଛନ୍ତି। ଧାରା 125 ସବୁ ଧର୍ମର ମହିଳାମାନଙ୍କୁ ଏହି ଅଧିକାର ଦେଇଛି।

ସୂଚନା ମୁତାବକ, ତେଲେଙ୍ଗାନା ହାଇକୋର୍ଟ ନିକଟରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ମଧ୍ୟବର୍ତ୍ତିକାଳୀନ ଭରଣପୋଷଣ ବାବଦରେ ପୂର୍ବ ସ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଦେବା ଲାଗି ନିର୍ଦେଶ ଦେଇଥିଲେ। ବ୍ୟକ୍ତି ଜଣକ ହାଇକୋର୍ଟଙ୍କ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ଯେଉଁଥିରେ ସେ ସିଆରପିସି ଧାରା ୧୨୫ ଅନୁଯାୟୀ ଛାଡପତ୍ର ଦେଇଥିବା ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ବୁଧବାର ସୁପ୍ରିମକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିବା ସହିତ ଉପରୋକ୍ତ ରାୟ ଶୁଣାଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ମୁସଲିମ ମହିଳା ଅଧିନିୟମ, ୧୯୮୬ ଧାରା ୧୨୫ ର ବ୍ୟବସ୍ଥାକୁ ରଦ୍ଦ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *