ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଆସିଛି ସାଂଘାତିକ ଯୌନ ନିର୍ଯାତନା ଅଭିଯୋଗ। ଚୌଦ୍ୱାର ଜେଲରେ ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଏହି ଅଭିଯୋଗ ଆଣିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଦିଆଯିବା ସହ କ୍ୟାରିୟର୍ ଶେଷ କରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବାବେଳେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରି ଏହାର ସୂଚନା ଗୃହ ବିଭାଗକୁ ମଧ୍ୟ ଅବଗତ କରାଇଛି। ଅଭିଯୋଗ ଅନୁଯାୟୀ, ୨୦୨୫ ମସିହା ମଧ୍ୟଭାଗରେ ଏକ ଜେଲ୍ ପରିଦର୍ଶନ ପରେ ଡିଜିଙ୍କ ଜଣେ ସହଯୋଗୀ କୁଳଦୀପ ରଥ ତାଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରି ବିଭିନ୍ନ ସୂଚନାପୂର୍ଣ୍ଣ ମେସେଜ୍ ପଠାଇଥିଲେ ଏବଂ ଡିଜି ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହୁଁଛନ୍ତି ବୋଲି କହି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଡିନର୍ ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ସନ୍ତୋଷିନୀ ଏହି ପ୍ରସ୍ତାବକୁ ଦୃଢ଼ ପ୍ରତ୍ୟାଖ୍ୟାନ କରି କେବଳ କାର୍ଯ୍ୟାଳୟ ପରିବେଶରେ ହିଁ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ବୋଲି ସ୍ପଷ୍ଟ କରିଥିଲେ। ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ପ୍ରଶାସନିକ ସ୍ତରରେ ବହୁତ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ଫେବୃଆରୀ ୧୯, ୨୦୨୬ରେ ତାଙ୍କୁ ନିଲମ୍ବନ କରାଯିବା ସହ ଦରମା ଏବଂ ଭତ୍ତା ବନ୍ଦ କରାଯାଇଥିଲା ଏବଂ ପାଞ୍ଚୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ମାସର ବୈଠକରେ ଡିଜି ସୁଶାନ୍ତ ନାଥ ତାଙ୍କୁ ଯଦି ଆପଣ ମୋତେ ଭେଟିବାକୁ ଆସିଥା’ନ୍ତେ, ତେବେ ଏସବୁର ସମ୍ମୁଖୀନ ହୋଇନଥା’ନ୍ତେ ବୋଲି କହିଥିଲେ, ଯାହାକି ତାଙ୍କ ମନା କରିବା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ପଷ୍ଟ କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହାସହ ପୂର୍ବରୁ ଏକ ମାମଲାରେ ସେ କରିଥିବା ଏଫ୍ଆଇଆର୍ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ତାଙ୍କୁ ଚାପ ପକାଯିବା ସହ ଚାକିରିରୁ ବରଖାସ୍ତ ଏବଂ ଶାରୀରିକ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ହସ୍ତକ୍ଷେପ ପରେ ତାଙ୍କର ଜୀବିକା ଭତ୍ତା ପୁନଃସ୍ଥାପିତ ହୋଇଥିଲା। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କଟକ ଡିସିପି ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିବାବେଳେ ବର୍ତ୍ତମାନ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। Post navigation Brahmapur Water Crisis: ବାତ୍ୟା ପରେ ବ୍ରହ୍ମପୁରରେ ପାନୀୟ ଜଳ ସଙ୍କଟ: ସୁଧାର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଜରୁରୀକାଳୀନ ପଦକ୍ଷେପ Odisha Govt Reshuffles IPS Cadres: ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ