ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଏବଂ ସାଇନ୍ବୋର୍ଡଗୁଡ଼ିକରେ ସ୍ଥାନଗୁଡ଼ିକର ସଂଶୋଧିତ ଇଂରାଜୀ ବନାନର ନିୟମିତ ଓ ସମାନ ବ୍ୟବହାର ସୁନିଶ୍ଚିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଭିନ୍ନ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଏବଂ ସାଇନ୍ବୋର୍ଡ କିମ୍ବା ନାମଫଳକରେ ପରିବର୍ତ୍ତିତ ଇଂରାଜୀ ବନାନ ବ୍ୟବହାରକୁ ବ୍ୟାପକ ଭାବେ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସରକାର ଏହି ପ୍ରକ୍ରିୟାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଏହାର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଆସନ୍ତା ସପ୍ତାହକ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୬ ଜୁନ୍ ୨୨ ତାରିଖରେ ଓଡ଼ିଶା ସରକାର ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ନୂତନ ବନାନ ଲାଗୁ କରିବା ପାଇଁ ୧ ମାସର ସମୟସୀମା ଧାର୍ଯ୍ୟ କରିଥିଲେ। ଅପରପକ୍ଷରେ ଘରୋଇ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଏହି ପରିବର୍ତ୍ତନ ଆପଣେଇବା ପାଇଁ ୬ ମାସର ସମୟ ଦିଆଯାଇଥିଲା। ତେବେ କେତେକ ସରକାରୀ କାର୍ଯ୍ୟାଳୟରେ ଏବେ ବି ପୁରୁଣା ଇଂରାଜୀ ବନାନ ବ୍ୟବହାର ହେଉଥିବା ସରକାରଙ୍କ ନଜରକୁ ଆସିଛି। ଏହି କାରଣରୁ, ଜିଲ୍ଲାପାଳମାନଙ୍କୁ ନିଜ ନିଜ ଜିଲ୍ଲାରେ ଏହାର କାର୍ଯ୍ୟକାରିତା ସମୀକ୍ଷା କରିବା ସହ ୭ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Odisha Vigilance Arrests Kendrapada AEE: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ MMDR Bill Controversy: ଆସନ୍ତା ୮ ତାରିଖରେ ଲୋୟର ପିଏମଜିରେ ଅନୁଷ୍ଠିତ ହେବ ଇଣ୍ଡିଆ ମେଣ୍ଟର ବିଶାଳ କନଭେନସନ