ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହାୟତା ରାଶି ନେଇ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଦୁର୍ଘଟଣାର ଶିକାର ହେଉଥିବା ସ୍କୁଲ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହାୟତା ରାଶିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଶାରିରୀକ ଅକ୍ଷମତା ପାଇଁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସେହିପରି ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର ଆବଶ୍ୟକ ଥିଲେ ସେଥିପାଇଁ ଅତିରିକ୍ତ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା ସରକାରୀ ସହାୟତା ମିଳିବ । ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କର ସମସ୍ତ ସରକାରୀ ଡାକ୍ତରଖାନାରେ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶବଳୀ କାର୍ଯ୍ୟକାରୀ ହେବେ ।

ସହାୟତା ରାଶି ପିଲାର ବାପା କିମ୍ବା ମାଆଙ୍କୁ ପ୍ରଦାନ କରାଯିବ । ଯଦି କୌଣସି କ୍ଷେତ୍ରରେ ଉଭୟ ବାପା ଓ ମାଆ ନ ଥିବେ ତେବେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ରାଶି ହସ୍ତାନ୍ତର କରାଯିବ । ସହାୟତା ରାଶି ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ବାଧ୍ୟତାମୂଳକ । ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ମିଳିବ । ନୂତନ ବିଜ୍ଞପ୍ତି ଜାରି ହେବା ଠାରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ ।

ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମଡେଲ ଆଦର୍ଶ ବିଦ୍ୟାଳୟ ର ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବେ।

Leave a Reply

Your email address will not be published. Required fields are marked *