ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ The best in business in the country ବୋଲି ସେ କହିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍‍ ଆଟେଣ୍ଡ କରିଛନ୍ତି । ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି । ଏ ସମସ୍ତ କାମ ସରକାରଙ୍କ ପାଇଁ ସୁନାମ ଆଣିଛି ।
 
ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ୱର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
 
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ବର୍ତ୍ତମାନର ପରିବର୍ତ୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ । ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଏକ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛୁ । ଏହି ସିମୁଲେଟର ମାଧ୍ୟମରେ ଆମ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ ।
 
ଏଥି ସହିତ କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ୧୦ କୋଟି ଟଙ୍କା ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ । ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୋଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

By Nirvay

Leave a Reply

Your email address will not be published. Required fields are marked *