ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ସୋମବାର ବିଧାନସଭାରେ ଲିଖିତ ଭାବେ ଜଣାଇଛନ୍ତି ଯେ ଲୋକସଭା ଓ ବିଧାନ ସଭା ନିର୍ବାଚନ ସମୟରେ ସମଗ୍ର ରାଜ୍ୟରେ ନିର୍ବାଚନୀ ହିଂସା ସମ୍ପର୍କିତ ମୋଟ ୩୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ କଟକରେ ସର୍ବାଧିକ ମାମଲା ରହିଛି । ସେହିପରି ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ବରଗଡ଼, ଢେଙ୍କାନାଳ, କୋରାପୁଟ, ରାୟଗଡା, ସୁନ୍ଦରଗଡ଼, ଝାରସୁଗୁଡା, କଳାହାଣ୍ଡି ଓ ନୂଆପଡା ଆଦି ୮ଟି ଜିଲ୍ଲାରେ ନିର୍ବାଚନୀ ହିଂସା ସମ୍ପର୍କିତ କୌଣସି ବି ମାମଲା ନାହିଁ ।

କଟକରେ ସର୍ବାଧିକ ୬୯ ମାମଲା ଥିବାବେଳେ ଯାଜପୁରରୁ ୫୪ଟି ମାମଲା ସାମ୍ନାକୁ ଆସିଛି। କଟକ ଜିଲ୍ଲାର ବାଙ୍କୀ (ବିଜେଡି ନିର୍ବାଚିତ), ମାହାଙ୍ଗା (ସ୍ୱାଧୀନ), କଟକ ସଦର (ବିଜେପି), ବଡମ୍ବା (ସ୍ୱାଧୀନ), ଆଠଗଡ଼ (ବିଜେଡି), ନିଆଳି (ବିଜେଡି) ଓ ସାଲେପୁର (ବିଜେଡି)ରୁ ଅଧିକାଂଶ ମାମଲା ଆସିଛି । କନ୍ଧମାଳ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ମାମଲା ଥିବାବେଳେ ଅନୁଗୁଳରେ ୨ଟି ମାମଲା ରହିଛି ।

ଭୁବନେଶ୍ୱର କମିସନରେଟ ପୋଲିସ ଏରିଆରୁ ମୋଟ ୪ଟି ମାମଲା ରହିଛି । ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୩ଟି ଓ ଏକାମ୍ର ଭୁବନେଶ୍ୱରରୁ ଗୋଟିଏ ମାମଲା ରହିଛି । ଓଡିଶା ପୋଲିସର ରିପୋର୍ଟ ଅନୁଯାୟୀ, ସମସ୍ତ ନିର୍ବାଚନୀ ହିଂସା ମାର୍ଚ୍ଚ ୧୬ ମଧ୍ୟରେ ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା ଓ ଜୁନ ୬ ଯେତେବେଳେ ଆଚରଣ ବିଧି ହଟିଲା, ସେହି ସମୟରେ ହୋଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଚଳିତ ନିର୍ବାଚନରେ ମାଓ ସମ୍ପର୍କିତ କୌଣସି ବି ମାମଲା ସାମ୍ନାକୁ ଆସିନି। ୧୯୯୮ରୁ ଲୋକସଭା ନିର୍ବାଚନ ହେଉଥିବା ବେଳେ ଏଭଳି ପ୍ରଥମ ଥର ହୋଇଛି ଯାହା ଓଡିଶା ପୋଲିସ ପାଇଁ ଏକ ବଡ଼ ସଫଳତା ।

Leave a Reply

Your email address will not be published. Required fields are marked *