କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଏକ ଅଘଟଣ ଘଟିଯାଇଛି । ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଦିବ୍ୟାଙ୍ଗ ଯୁବତୀ ଥିବା ଜଣାପଡ଼ିଛି। ମୃତକମାନେ ହେଲେ ରମିତା ପାଟ ମାଝୀ ଓ ରୁନୁ ମାଝୀ।

ଅନ୍ୟପଟେ ଏହି ସଂପର୍କରେ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଏହାର ଯାଞ୍ଚ କରିବାପାଇଁ ଗାଁକୁ ସ୍ବାସ୍ଥ୍ୟ ଟିମ୍‌ ଯାଇଛନ୍ତି । ଏବେ ବି ୭ରୁ ୮ ଜଣ ଅସୁସ୍ଥ ଅଛନ୍ତି, ଖାଦ୍ୟ ବିଷାକ୍ତ କିମ୍ବା ହଇଜା ହୋଇଛି ତାହା ଟିମ୍‌ ଫେରି ରିପୋର୍ଟ ଦେବା ପରେ ଜଣାପଡ଼ିବ ।

ସୂଚନା ଅନୁସାରେ ଗତ ବୁଧବାର ଗାଁର କିଛି ପରିବାର ପୂର୍ବରୁ ରଖିଥିବା ଆମ୍ବ ଟାକୁଆରେ ଯାଉ ତିଆରି କରି ଖାଇଥିଲେ । ଏହାପରେ ଆଜି ସେମାନଙ୍କର ପେଟବ୍ୟଥା ହେବା ସହ ଝାଡ଼ାବାନ୍ତି ହୋଇଥିଲା। ସେମାନେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ସେଠାରେଥିବା ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଅନ୍ୟଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ୬ ଅସୁସ୍ଥମାନଙ୍କ ଅବସ୍ଥା ଏବେ ଗୁରୁତର ଅଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

Leave a Reply

Your email address will not be published. Required fields are marked *