ଚୀନରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି ଏବେ ଦେଶରେ ହ୍ୟୁମାନ ମେଟାପ୍ୟୁମୋ ଭାଇରସ (ଏଚ୍ଏମ୍ପିଭି) ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବେଙ୍ଗାଲୁରୁ, ତାମିଲନାଡ଼ୁ ଓ କୋଲକାତା ପରେ ଏବେ ମହାରାଷ୍ଟ୍ର ନାଗପୁରରେ ୨ ଜଣ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ ହୋଇଥିବା ଜଣାପଡ଼ିଛି। ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଦେଶରେ ଏପର୍ଯ୍ୟନ୍ତ ଏହି ଭାଇରସର ଶିକାର ୭ ଜଣ ହୋଇସାରିଛନ୍ତି। ବେଙ୍ଗାଲୁରୁ, ନାଗପୁର ଓ ତାମିଲନାଡ଼ୁରେ ୨ଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଗୋଟିଏ ମାମଲା ସାମିଲ ରହିଛି। ଭାରତର ବେଙ୍ଗାଲୁରୁରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଦିଲ୍ଲୀ, ମହାରାଷ୍ଟ୍ର ସହିତ ଅନେକ ରାଜ୍ୟରେ ଏହାକୁ ନେଇ ଆଡଭାଇଜରି ଜାରି ହୋଇଛି । ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନସିଡିସି) ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉଛି ଏବଂ ଖୁବଶୀଘ୍ର ଏହାର ରିପୋର୍ଟ ପ୍ରଦାନ କରିବ। ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର ଏକ ଭିଡିଓ ବିବୃତିରେ କହିଛନ୍ତି ଯେ ଏଚ୍ଏମ୍ପିଭି ଭୂତାଣୁ ନୂଆ ନୁହେଁ। ୨୦୦୧ରେ ପ୍ରଥମେ ଚିହ୍ନଟ ହେବା ପରଠାରୁ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁ ଶ୍ୱାସକ୍ରିୟା ମାଧ୍ୟମରେ ବାୟୁବାହିତ ହୁଏ ଏବଂ ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରେ। ବିଶେଷ କରି ଶୀତ ଓ ବସନ୍ତ ଋତୁରେ ଏହାର ପ୍ରସାର ଦେଖିବାକୁ ମିଳିଥାଏ। Post navigation ଜୟପୁରରେ ହେବ OPSCର ପରୀକ୍ଷା ଜୋନ୍ ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡରେ ହଂସିତା ଅଭିଲିପ୍ସାଙ୍କ ଉପରେ ଆୟକର ଟିମ୍ର ରେଡ଼