ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍‌ ଅଳକାନନ୍ଦା ନଦୀକୁ ଖସି ପଡ଼ିବା ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଦୁର୍ଘଟଣା ସମୟରେ ଗାଡ଼ିରେ ପ୍ରାୟ ୨୬ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

ଖବର ମୁତାବକ, ଦୁର୍ଘଟଣାଗ୍ରସ୍ତ ଟେମ୍ପୋଟି ଆଜି ନୋଏଡା (ୟୁପି) ରୁ ତୀର୍ଥଯାତ୍ରୀଙ୍କୁ ଧରି ରୁଦ୍ରପ୍ରୟାଗ ଅଭିମୁଖେ ଯାତ୍ରା କରୁଥିଲା । ତେବେ ରିଷିକେଶ-ବଦ୍ରିନାଥ ହାଇୱେ ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୧୫୦ ରୁ ୨୦୦ ମିଟର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ସମୟରେ ଗାଡ଼ିରେ ପ୍ରାୟ ୨୩ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ଫସି ରହିଥିଲା। ଅନ୍ୟମାନଙ୍କ ଚିତ୍କାର ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପ୍ରଶାସନ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲୋକଙ୍କୁ ବାହାର କରିବା ଲାଗି ପ୍ରୟାସ କରାଯାଉଛି।

ଘଟଣାସ୍ଥଳରୁ ୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ, ଅନ୍ୟ ପାଞ୍ଚଜଣ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ ୧୪ ଜଣ ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗଡ଼ୱାଲ ଆଇଜି କରଣ ସିଂହ ନଗନ୍ୟାଲ କହିଛନ୍ତି, ରୁଦ୍ରପ୍ରୟାଗ ଏସପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି।

Leave a Reply

Your email address will not be published. Required fields are marked *