ଚିତ୍ରାଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍‌ଟି ଜଳି ଯାଇଛି । ବସ୍‌ରେ ନିଆଁ ଲାଗି ଯାଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବସର ଇନ୍ଧନ ଟାଙ୍କିରେ ମାଡ ହୋଇ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ବସରେ ଥିବା କିଛି ଯାତ୍ରୀ କୌଣସି ମତେ ବାହାରି ଆସିଥିବା ବେଳେ ୯ ଜଣ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଥିବା ବେଳେ ଓ ଅନ୍ୟ ଜଣଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଟ୍ରକ ଡ୍ରାଇଭର । ବସରେ ସମୁଦାୟ ୩୨ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ରହିଛି ।

ସୂଚନା ଅନୁଯାୟୀ, ବସ୍‌ଟି ବେଙ୍ଗାଲୁରୁରୁ ଶିବମୋଗା ଅଭିମୁଖେ ଯାତ୍ରା କରୁଥିଲା। ବସ୍‌ଟି ୩୦୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା। ଭୋର ପ୍ରାୟ ୩ଟା ସମୟରେ ଜାତୀୟ ରାଜପଥ ୪୮ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଡିଭାଇଡରୁ ଧକ୍କା ଦେଇ ବସକୁ ପିଟିଥିଲା ।

ଏହାପରେ ବସରେ ତୁରନ୍ତ ନିଆଁ ଲାଗି ଯାଇଥିଲା । ଯେତେବେଳେ ଧକ୍କା ହୋଇଥିଲା ସେତେବେଳେ ଅଧିକାଂଶ ଯାତ୍ରୀ ବସ୍‌ରେ ଶୋଇଥିଲେ ଏବଂ ବସ୍‌ଟି ଜଳିବାକୁ ଲାଗିଥିଲା । ତେଣୁ କିଛି ଯାତ୍ରୀ ବାହାରି ଆସିବାରେ ସଫଳ ହୋଇଥିବା ଆଉ କିଛି ଯାତ୍ରୀ ଫସି ରହିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ଅନେକ ଯାତ୍ରୀଙ୍କର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପ୍ରାୟ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *