Voting for Nuapada bypoll begins
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ଦିନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ରାଜ୍ୟର ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆଜି ହେବ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଭାଗ୍ୟ ପରୀକ୍ଷା । 
 
ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୫୪୪ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୯୩୨ । ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ରହିଛି ୨୧ । ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍ ରହିଛି ।
 
ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି । ଏହିସବୁ ଭୋଟ କେନ୍ଦ୍ରକୁ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇ ଭୋଟ ଗ୍ରହଣ କରିବେ । ୮ଟି ବୁଥ ପାଇଁ ୪୮ ଜଣ ପୋଲିଂପାର୍ଟି ଯିବେ । ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ ।
 
ମିଳିଥିବା ସୂଚନା ଅନୁଯାୟୀ, EVMରେ ତ୍ରୁଟି ଯୋଗୁଁ ଖରିଆର ରୋଡ୍ ମୋଙ୍ଗରାପାଲିରେ ଭୋଟିଂ ବିଳମ୍ବରେ ଆରମ୍ଭ ହୋଇଛି । ଆସନ୍ତା ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।
 
ପୂର୍ବରୁ, ଅକ୍ଟୋବର ୩୦ ରୁ ନଭେମ୍ବର ୨ ତାରିଖ ମଧ୍ୟରେ ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତି ସମେତ ୨୫୧ ଜଣ ଭୋଟର ନିଜ ଘରୁ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଗୋପନୀୟ ଭାବରେ ସେମାନଙ୍କର ଭୋଟ୍ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *