ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହିତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟ ଆରମ୍ଭ ପରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ ବୋଲି କହିଥିଲେ। ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ପାଖରେ ଉପସ୍ଥାପିତ ସମସ୍ତ ନଥି ଓଡ଼ିଆରେ ରଖାଯିବ। ଓଡ଼ିଶାର ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିବା ସହିତ ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ। ତିନୋଟି ଏକାଡେମୀ ତଥା ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ। ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବା ସହ ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ଭାଷା ପାଇଁ ଆଧୁନିକ,ସରଳ ଓ ସୁଗମ ପ୍ରଯୁକ୍ତିବିଦ୍ୟାର ଉପଯୋଗ ପାଇଁ ବ୍ୟବସ୍ଥା ହେବ । ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ ।ଭାଷା କମିଶନ ଗଠିତ ହେବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ। ବରୁଣେଇଠାରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ ।

ରାଜ୍ୟର ବିଭିନ୍ନ ଐତିହ୍ୟପୀଠର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର ସଂକଳ୍ପବଦ୍ଧ । ସବୁ କାର୍ଯ୍ୟ ଲୋକମାନଙ୍କ ସହଯୋଗ, ସହଭାଗିତା ଓ ପରାମର୍ଶରେ ହେବ । ଓଡ଼ିଆ ଅସ୍ମିତା କ୍ଷେତ୍ରରେ ଆଉ କଣ କରାଯିବା ଦରକାର, ସେଥିପାଇଁ ମୁଁ ଲୋକମାନଙ୍କର ପ୍ରସ୍ତାବ ଆହ୍ୱାନ କରୁଛି । ରାଜ୍ୟ ପରିଚାଳନା ରାଜ୍ୟ ଭାଷା ଓଡ଼ିଆରେ ହିଁ ହେବ। ଏଥି ନିମନ୍ତେ ପ୍ରଣୀତ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଦରକାର ପଡିଲେ ଏଥିରେ ଆବଶ୍ୟକ ସଂଶୋଧନ କରି ଆଇନକୁ ଆହୁରି ସଶକ୍ତ କରାଯିବ । ଉଭୟ ସରକାରୀ ଓ ବେସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *