ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିବା ବେଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି । ଏହି ବଜେଟରେ ଓଡ଼ିଆ ଅସ୍ମିତାର ସ୍ପର୍ଶ ରହିଛି । ଓଡ଼ିଆ ଜାତି ଓ ଓଡ଼ିଶା ମାଟି ପ୍ରତି ମହାପୁରୁଷଙ୍କ ଅବଦାନକୁ ସମ୍ମାନ ଦେଇ ଅନେକ ଯୋଜନା ମହାପୁରୁଷଙ୍କ ନାଁରେ ନାମିତ ହୋଇଛି।

ଆସନ୍ତୁ ଜାଣିବା କେଉଁ ମହାପୁରୁଷଙ୍କ ନାଁରେ କେଉଁ ଯୋଜନା ରହିଛି:

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଗୋଦାବରୀଶ ମିଶ୍ର ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ। ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ “ଘଟାନ୍ତର”, “ଅଭାଗିନୀ”, “ଅଠର ଶହ ସତର” ଓ “ନିବାସିତ” ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କ ଆତ୍ମଜୀବନୀ “ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ” ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଭଳି ଜଣେ ମହାନ ମହାପୁରୁଷଙ୍କୁ ସମ୍ମାନ ଜଣାଇ ସରକାର ତାଙ୍କ ନାଁରେ ଗୋଦାବରୀଣ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କରିଛନ୍ତି। ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଗୋଦାବରୀଣ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ

ଶିକ୍ଷାରେ ସଂସ୍କାର ଆଣିବା ଲାଗି ପଞ୍ଚସଖାଙ୍କ ଅବଦାନ ଏ ଜାତି ପାଇଁ ଆଶୀର୍ବାଦ। ୧୯୦୯ ମସିହାରେ ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ସତ୍ୟବାଦୀରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ ହୋଇଥିଲା।

ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ ଥିଲେ। ସେ ଦୈନିକ ଓଡ଼ିଆ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ମଧ୍ୟ ଥିଲେ। ଗୋପବନ୍ଧୁ ଦାସ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ। ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ। ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ। ମଧୁସୂଦନ ରାଓଙ୍କ ନିଷ୍ପତ୍ତିକ୍ରମେ ତାଙ୍କ ନେତୃତ୍ୱରେ ପଞ୍ଚସଖାମାନେ ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜ ତଳେ ୧୯୦୯ ମସିହା କୁମାରପୂର୍ଣ୍ଣିମା ତିଥିରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।

ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ନୀଳକଣ୍ଠ ଦାସ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି.ଏ.ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ। ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି। ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ।

ଆଚାର୍ଯ୍ୟ ହରିହର ଦାସ ଓଡ଼ିଶାରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ। ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ରୂପେ ସତ୍ୟବାଦୀର ସାହିତ୍ୟ-କର୍ମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ। ସେ ଭଗବତ ଗୀତାର ଅନୁବାଦ ଓ ପିଲାଙ୍କ ବ୍ୟାକରଣ ପ୍ରଭୃତି ରଚନା କରିଥିଲେ ।

କୃପାସିନ୍ଧୁ ମିଶ୍ର ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ ଓ ସମାଜସେବୀ ଥିଲେ । ମଣିଷ ତିଆରି କାରଖାନା ଭାବରେ ପରିଚିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ୱ ତାଙ୍କର ଅନ୍ୟ ପରିଚୟ। ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ ।

ଗୋଦାବରୀଶ ମିଶ୍ର ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ। ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ “ଘଟାନ୍ତର”, “ଅଭାଗିନୀ”, “ଅଠର ଶହ ସତର” ଓ “ନିବାସିତ” ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କ ଆତ୍ମଜୀବନୀ “ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ” ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପଞ୍ଚସଖାଙ୍କ ନାଁରେ ଯୋଜନା ନାମିତ ବିଜେପି ଓଡ଼ିଆ ଅସ୍ମିତାର ପରିଚୟ ଦେଇଛି। ସେହିକ୍ରମରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୩୩୨ କୋଟି ଟଙ୍କା ଆବଣ୍ଟନ କରାଯିବ ।

ମାଧୋ ସିଂହ ହାତ ଖର୍ଚ୍ଚ

ମାତୃଭୂମିର ମୁକ୍ତି ପାଇଁ ଜୀବନର ଶେଷ କ୍ଷଣ ଯାଏଁ ଲଢ଼ିଥିବା ମହାନ ଦେଶପ୍ରେମୀ ଥିଲେ ମାଧୋ ସିଂହ। ସେ ବୀର ସୁରେନ୍ଦ୍ର ସାଏଙ୍କ ପଦାଙ୍କ ଅନୁସରଣ କରିଥିଲେ। ତାଙ୍କର ଓ ତାଙ୍କ ପରିବାରର ସାହସିକ ବଳିଦାନର କାହାଣୀ ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ଅଧ୍ୟାୟ। ଜଣେ ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେଇଛି ବିଜେପି ସରକାର।

ରାଜ୍ୟରେ ଡ୍ରପ୍ ଆଉଟ୍ ରୋକିବାକୁ ସ୍କୁଲରେ ନୂଆ ଯୋଜନା ମାଧୋ ସିଂହ ହାତ ଖର୍ଚ୍ଚ ଲାଗୁ ହେବ । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ମାଧ୍ୟମିକସ୍ତରରୁ ଅଧାରୁ ପାଠ ଛାଡିବା ହାରରେ ଓଡିଶା ଦେଶରେ ପ୍ରଥମ । ଓଡିଶାରେ ଏବେ ମାଧ୍ୟମିକସ୍ତରରେ ପାଠ ଛାଡିବା ହାର ୨୭.୨୯ % ରହିଛି । ତେଣୁ ନବମ ଓ ଏକାଦଶ ଶ୍ରେଣୀ ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ ।

ମଧୁବାବୁ ପେନସନ ଯୋଜନା

ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ ମଧୁସୂଦନ ଦାସ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ତାଙ୍କୁ ଉତ୍କଳ ଗୌରବ ଉପାଧିରେ ବିଭୂଷିତ। ତାଙ୍କୁ ସମ୍ମାନ ଦେବା ସହ ବରିଷ୍ଠ ଓ ଅସହାୟଙ୍କୁ ସମ୍ମାନ ଜଣାଇ ମଧୁବାବୁ ପେନସନ ଯୋଜନା ଆରମ୍ଭ ହୋଇଛି ।

ମଧୁବାବୁ ପେନସନ ଯୋଜନାର ଭତ୍ତା ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ।

ଭିନ୍ନକ୍ଷମ କଲ୍ୟାଣ ପାଇଁ ୩ ଶହ ୨କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ, ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କ ଯାତାୟତ ଅନୁକୂଳ କରାଇବା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

Leave a Reply

Your email address will not be published. Required fields are marked *