ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସରକାରଙ୍କୁ ଅଧିକ ସମୟ ଦିଆଯିବା ଦରକାର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମଙ୍ଗଳବାର ଦିନ ସୁପ୍ରିମ୍‌କୋର୍ଟ କେନ୍ଦ୍ର କିମ୍ବା ଜମ୍ମୁ ଓ କାଶ୍ମୀର ସରକାରଙ୍କ ପକ୍ଷରୁ ସେଠାରେ ଲଗାଯାଇଥିବା କଟକଣା ଉପରେ ହସ୍ତକ୍ଷେପ କରିବାକୁ ମନାକରି ଦେଇଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପରେ ଯୋଗାଯୋଗ ସମ୍ପର୍କ ବନ୍ଦ କରାଯିବା ସାଙ୍ଗକୁ ଏକାଧିକ କଟକଣା ଜମ୍ମୁ ଓ କାଶ୍ମୀରରେ ଲଗାଯାଇଥିଲା । ଏହି ମାମଲାର ଶୁଣାଣି କଲାବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେହେତୁ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ତେଣୁ ସରକାରଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବା ଦରକାର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ସକାଶେ । ସୁପ୍ରିମ୍‌କୋର୍ଟ କହିଛନ୍ତି, ଆମେ ଅପେକ୍ଷା କରିବାକୁ ଚାହୁଁଛୁ ଏବଂ ପ୍ରକୃତ ଚିତ୍ର କ’ଣ ବାହାରିକି ଆସୁଛି ତାହାକୁ ପ୍ରଥମେ ଦେଖିବାକୁ ଚାହୁଁଛୁ । ସବୁ କଥାର ଭଲ ଓ ଖରାପ ଦିଗକୁ ଆମେ ବିଶ୍ଳେଷଣ କରିବାକୁ ଚାହୁଁଛୁ । ଏହାପରେ ସୁପ୍ରିମ୍‌କୋର୍ଟ ଭଲଭାବରେ ଆବେଦନ ଡ୍ରାଫ୍ଟ ହୋଇନଥିବା ଉଲ୍ଲେଖ କରି କହିଥିଲେ, ସମ୍ଭବତଃ ଆବେଦନକାରୀ ମଧ୍ୟ ପରିସ୍ଥିତି ବାବଦର ଅସଲ ସତ୍ୟ ନିଜେ ଜାଣିନାହାନ୍ତି । ରୋଜ ଅଞ୍ଚଳର ସ୍ଥିତିକୁ ଆମେ ସମୀକ୍ଷା କରୁଛୁ ଏବଂ ଜିଲାପାଳମାନଙ୍କ ଦ୍ୱାରା ଆସୁଥିବା ରିପୋର୍ଟକୁ ଆଧାର କରି ଆମେ କଟକଣା କୋହଳ କରୁଛୁ ବୋଲି କେନ୍ଦ୍ର ପକ୍ଷରୁ ପ୍ରଦାନ ହୋଇଥିବା ନୋଟ୍‌କୁ ମଧ୍ୟ ଗ୍ରହଣ କରିଥିଲେ ସୁପ୍ରିମ୍‌କୋର୍ଟ । ସେଠାକାର ଅବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ରହିଛି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆଇନ୍‌ଶୃଙ୍ଖଳା ବଜାୟ ରଖିବା ସକାଶେ କଟକଣା ଲଗାଯାଇଛି ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ର, ଏମ୍‌ ଆର୍‌ ଶାହା ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖନ୍ଦପୀଠ କହିଥିଲେ । ସେଠାରେ କୌଣସି ଜୀବନହାନି ହୋଇନାହିଁ ବୋଲି ଖନ୍ଦପୀଠ ଦର୍ଶାଇବା ସାଙ୍ଗକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ କରିବା ପାଇଁ ସ୍ଥିର କରିଥିଲେ । ନାଗରିକର ରହିଥିବା ସ୍ୱାଧୀନତାର ଅଧିକାର ସହିତ ଆମେ ଅଛୁ । ହେଲେ ପ୍ରକୃତ ଚିତ୍ର ଆମ ପାଖରେ ରହିବା ଦରକାର ବୋଲି ଖନ୍ଦପୀଠ ସିନିଅର ଆଡ୍‌ଭୋକେଟ ମାନେକା ଗୁରୁସ୍ୱାମୀଙ୍କୁ କହିଥିଲେ । ଯିଏ କଂଗ୍ରେସ କର୍ମୀ ତେହେସିନ ପୁନାୱାଲାଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*