ରାଜ୍ୟ ଓ ଜିଲା ଯୋଜନା ବୋର୍ଡ ଧଳା ହାତୀ ପୋଷା କେନ୍ଦ୍ର!

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜନୈତିକ ନେତାଙ୍କୁ ଥଇଥାନ କରିବା ପାଇଁ ପ୍ରକି୍ରୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ମନ୍ତ୍ରୀ ନହୋଇପାରି ଯେଉଁମାନେ ଦୁଃଖରେ ଥିଲେ, ସେମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ବିଭିନ୍ନ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏବେ ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ହୋଇଯିବେ । ଏହି କାରଣରୁ କିଛି ଆର୍ଥିକ ଏବଂ ଆନୁସଙ୍ଗିକ ସୁବିଧା ମିଳିବ । ନାଲିବତି ଗାଡ଼ି ବି ବ୍ୟବହାର କରିପାରିବେ ସେମାନେ । କିନ୍ତୁ କିଛି କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଆଉ ଏକ ଖରାପ୍‌ ପରମ୍ପରା ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍‌ ମନ୍ତ୍ରୀ କିନ୍ତୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ତେବେ ସେ ଯାହାହେଉ ନା କାହିଁକି ବିଧାୟକ ଥଇଥାନ ଯୋଜନାରେ ଜିଲା ଯୋଜନାରେ କୌଣସି ଅଗ୍ରଗତି ସାଧିତ ହୁଏ କି? ଏହାର ଉତ୍ତର ହେବ ବିରାଟ ନା’ ।
ପୂର୍ବରୁ ମଧ୍ୟ ଅନେକ ବିଧାୟକ ଓ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ କରାଯାଇଛି । କିନ୍ତୁ ବିଶେଷ କିଛି ସୁଫଳ ମିଳି ନାହିଁ । ଏହି କାରଣରୁ ତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆମ ଗାଁ ଆମ ବିକାଶ ଯୋଜନାରେ ସଚିବାଳୟରେ ବସି ବିଭିନ୍ନ ପ୍ରକଳ୍ପ ମଞ୍ଜୁର କରିବାକୁ ପଡ଼ିଲା । ଯଦି ଜିଲା ଯୋଜନା ବୋର୍ଡ଼ରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସୁରୁଖୁରୁରେ ମଞ୍ଜୁର ହୋଇପାରୁଥାନ୍ତା, ତେବେ ସଚିବାଳୟରୁ ପ୍ରକଳ୍ପ ମଞ୍ଜୁର ହେଉଥାନ୍ତା କି? ଏହାପରେ ବି ଗ୍ରାଉନ୍ଦ ସ୍ଥିତିରେ କିଛି ପରିବର୍ତ୍ତନ ହୋଇନାହିଁ ।
ଯେଉଁ ରାଜ୍ୟରେ ଯୋଜନା ବୋର୍ଡ଼ ପଙ୍ଗୁ ଓ ଅଥର୍ବ, ସେହି ରାଜ୍ୟର ଜିଲା ଯୋଜନା ବୋର୍ଡ଼ଗୁଡ଼ିକ ସଚଳ ଓ ସକ୍ରିୟ ହେବ କେମିତି? କେବଳ ଧଳାହାତୀ ପୋଷା ହେବା ଥୟ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ୧୯ ବର୍ଷର ଶାସନ କାଳରେ ରାଜ୍ୟ ଯୋଜନା ବୋର୍ଡ଼ର ବୈଠକ ୧୨ ବର୍ଷ ହେଲା ବସିନାହିଁ । କିନ୍ତୁ ଯୋଜନା ବୋର୍ଡ଼ ସଦସ୍ୟ ଭାବେ ଜଣଙ୍କ ପରେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ ପଟନାୟକ । ୨୦୦୩ରେ ରାଜ୍ୟ ଯୋଜନା ବୋର୍ଡ଼ର ଦୁଇଟି ବୈଠକ ବସିଥିଲା । ମେ’ ୯ ଓ ଅଗଷ୍ଟ ୯ରେ । ଶେଷ ବୈଠକ ବସିଥିଲା ୨୦୦୭ ଅକ୍ଟୋବର ୨୫ରେ । ଏହାପରେ ୧୨ ବର୍ଷ ଭିତରେ କେତେ ଜଣ ଉପାଧ୍ୟକ୍ଷ ନିଯୁକ୍ତି ପାଇ ଗଲେଣି । କିନ୍ତୁ ଏପର୍ଯ୍ୟନ୍ତ ବୈଠକ ହୋଇପାରୁ ନାହିଁ । ୨୦୧୪ରେ ଗୁଜରାଟ କ୍ୟାଡର୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଆର୍‌ଏନ୍‌ ଦାସଙ୍କୁ ରାଜ୍ୟ ଯୋଜନା ବୋର୍ଡ଼ର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କୁ ମିଳିଥିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ବୈଠକ ବସିଲେ ସିନା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୁଅନ୍ତା ଏବଂ ସରକାରଙ୍କୁ କିଛି ସୁପାରିସ କରନ୍ତା ବୋର୍ଡ଼! ୨୦୧୭ରେ ବିଷ୍ଣୁ ଚରଣ ଦାସଙ୍କୁ ରାଜ୍ୟସଭାରୁ ଫେରାଇ ଆଣି ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ କରାଗଲା । ଭାଜପାରୁ ଯାଇ ବିଜଦରେ ସାମିଲ ହୋଇଥିବା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପନ୍ଦାଙ୍କୁ ନିଆଯାଇଥିଲା ସଦସ୍ୟ ଭାବେ । ଗତବର୍ଷ ମାର୍ଚ୍ଚ ମାସରେ ପୂର୍ବତନ ବିଧାୟକ ରବି ମଲିକ, ଗିରିଶ ଚନ୍ଦ୍ର ଦାସ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଈଶ୍ୱର ପାଣିଗ୍ରାହୀ, ଡ. ଶରତ ମିଶ୍ର, କମଳା ପୂଜାରୀ ଏବଂ ସୁଧୀର ଦାସଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ନିର୍ବାଚନକୁ ଆଖିରେ ରଖି କିମ୍ବା ଅନ୍ୟ ରାଜନୈତିକ କାରଣରୁ ଏଭଳି ନିଯୁକ୍ତି ଦେଇଥିଲେ ସରକାର । ମାତ୍ର ବୈଠକ ଥରୁଟିଏ ବି ଡାକି ପାରିଲେ ନାହିଁ ଉପାଧ୍ୟକ୍ଷ ବିଷ୍ଣୁ ଦାସ ।
୨୦୦୮-୦୯ରେ ସରକାର ଜିଲା ଯୋଜନା କମିଟି ଗଠନ କରିଥିଲେ । ପ୍ରଥମେ ମନ୍ତ୍ରୀମାନଙ୍କୁ ଡିପିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏବେ ଏଗୁଡ଼ିକ ରାଜନୈତିକ ଥଇଥାନର କେନ୍ଦ୍ର ପାଲଟି ଯାଇଛି । ବିଧାୟକମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜିଲା ଯୋଜନା କମିଟି ବା ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଉଛି । ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସବୁ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । କିନ୍ତୁ ଏହାଦ୍ୱାରା ଜିଲା ସ୍ତରରେ ବିଶେଷ କିଛି ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ । ଅଧିକାରୀମାନେ ବିଶେଷତଃ ଜିଲାପାଳ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅଧ୍ୟକ୍ଷମାନେ ଅଧିକାଂଶ ଦେଖଣାହାରୀ ବା ଅନ୍ୟ ଅର୍ଥରେ ଧଳା ହାତୀ । ରାଜ୍ୟ ଯୋଜନା ବୋର୍ଡ଼ର କୌଣସି ସଦସ୍ୟ ବା ଉପାଧ୍ୟକ୍ଷ ଜିଲା ଗ୍ରସ୍ତ କରନ୍ତି ନାହିଁ କିମ୍ବା ଡିପିସି ବୈଠକରେ ଯୋଗ ଦିଅନ୍ତି ନାହିଁ । ଉପାଧ୍ୟକ୍ଷ ପଦରେ ନିଯୁକ୍ତି ପାଇବା ପରେ ବିଷ୍ଣୁ ଦାସ କହିଥିଲେ ଯେ, ସେ ପ୍ରତି ଜିଲା ଗସ୍ତ କରିବେ, ଯୋଜନା ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବେ । ନିଜ ବୋର୍ଡ଼ ବୈଠକ ଡାକି ପାରୁ ନଥିବା ଉପାଧ୍ୟକ୍ଷ ଜିଲା ବ୍ୟାପାରରେ ମୁନ୍ଦ ପୁରେଇବେ ବା କାହିଁକି?
ରାଜ୍ୟ ଯୋଜନା ବୋର୍ଡ଼କୁ ନିଜେ ସରକାର ଅକାମୀ ଓ ଅଚଳ କରିସାରିଛନ୍ତି । ଏହା ଧଳାହାତୀ ପୋଷାକେନ୍ଦ୍ରରେ ପରିଣତ ହୋଇଛି । ରାଜ୍ୟ ବାହାରୁ ବିଶିଷ୍ଟ ଲୋକମାନଙ୍କୁ ଆଣି ଉଚ୍ଚ ଦରମାରେ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଚାଲିଛନ୍ତି ରାଜ୍ୟ ସରକାର । ଏହି କାରଣରୁ ନବୀନ ସରକାରଙ୍କ ୧୯ବର୍ଷ ଶାସନ ଭିତରେ ଓଡ଼ିଶା ଏବେ ବି ସବୁଠୁ ଗରିବ ରାଜ୍ୟ । ସବୁ ପରିବାରକୁ ଚାଉଳ, ଭତ୍ତା ଓ ଅନ୍ୟ ଉପହାର ଦେଇ ନିଜ ଗାଦିକୁ ସୁରକ୍ଷିତ ରଖିପାରିଛନ୍ତି ନବୀନ ପଟନାୟକ ।
ରାଜ୍ୟ ଯୋଜନା ବୋର୍ଡ଼ ପରି ଜିଲା ଯୋଜନା ବୋର୍ଡ଼ଗୁଡ଼ିକ ମଧ୍ୟ ଶୋ’ପିସ୍‌ରେ ପରିଣତ ହୋଇସାରିଛି । ତେବେ କିଛି ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଖୁସି ହେବାର ମୌକା ଦେଇପାରୁଛି ଜିଲା ଯୋଜନା ବୋର୍ଡ଼ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*