ବନ୍ୟାରେ ୯ ମୃତ ୫ଜିଲାରେ ୭ଦିନ ରିଲିଫ୍‌

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି । ଦୁଇଦିନ ଧରି ବର୍ଷା ଲାଗୁ ରହିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୭ ଜିଲାର ୧୯ ବ୍ଲକର ୧୩୪ ଗାଁ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷାଜଳ ଆସିବାରୁ କଳାହାନ୍ଦି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗିର ବରଗଡ଼ ଓ ନୂଆପଡ଼ା ଜିଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାରେ ୯ ଜଣ ଲୋକଙ୍କ ମୃତୁ୍ୟ ହୋଇଥିବାବେଳେ ୨ ଲକ୍ଷରୁ ବେଶି ପ୍ରଭାବିତ ହୋଇଛନ୍ତି । ୪୧ ହଜାର ୬୭୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ୧୫ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୭ ନଦୀର ଜଳସ୍ତର ବୃଦ୍ଧି ପାଇଥିବାବେଳେ ୩ ନଦୀର ଜଳସ୍ତର ହ୍ରାସ ପାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବଂଶଧରା ନଦୀ କାଶୀନଗରଠାରେ ବିପଦ ସଂକେତ ଉପରେ ରହିଛି । କଳାହାନ୍ଦି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗିର ଜିଲାରେ ୭ଦିନ ପାଇଁ ରିଲିଫ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରଥମ ଥର ଲାଗି ବଲାଙ୍ଗିର ସହର ମଧ୍ୟରେ ବନ୍ୟାଜଳ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ କରି ରଖିଛି । ସହରର ବିଭିନ୍ନ ସ୍ଥାନରେ ୫ଫୁଟରୁ ଅଧିକ ଜଳ ପ୍ରଭାବିକ ହେବାରୁ ରାସ୍ତା ଉପରେ ଯାନବାହନ ପାଣି ଭିତରେ ବୁଡ଼ି ରହିଛି । ପଶ୍ଚିମ ଓଡ଼ିଶାର ଏହି ସବୁ ଜିଲ୍ଲାଗୁଡ଼ିକରେ ଦୀର୍ଘବର୍ଷ ବ୍ୟବଧାନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ମଙ୍ଗଳବାର ଦିନ ବର୍ଷା ସ୍ଥିତି ଓ ପରବର୍ତ୍ତୀ ବର୍ଷା ଉପରେ ସୂଚନା ରଖିଛନ୍ତି । ସୋମବାର ଠାରୁ ପଶ୍ଚିମ ଓଡ଼ିଶା ୫ଟି ଜିଲ୍ଲାରେ ଲଗାଣ ବର୍ଷା ସାଧାରଣ ଜୀବନକୁ ବେହାଲ କରିପକାଇଛି । କଳାହାନ୍ଦି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ଅଧିକାଂଶ ସ୍ଥାନରେ କଲଭର୍ଟ ଓ ରାସ୍ତା ଧୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କଳାହାନ୍ଦିର କରଲାମୁନ୍ଦା ବ୍ଲକରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଳାହାନ୍ଦିର ୨ଟି ବ୍ଲକରେ ୩ଶହ ମିଲିମିଟର ବର୍ଷା ହେବାରୁ ଚାରିଆଡେ ଜଳାର୍ଣ୍ଣବ ହୋଇଛି । ଏହିସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଥିବା ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି ।
ଲଘୁଚାପ ପ୍ରଭାବ ଯୋଗୁଁ ବୁଧବାର ଦିନ ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକୁ ରେଡ ୱାର୍ଣର୍ିଂ ଜାରି କରାଯାଇଛି । ସୁନ୍ଦରଗଡ, ବଲାଙ୍ଗୀର, କଳାହାନ୍ଦି, ବୌଦ୍ଧ, ସୋନପୁର ଓ ଝାରସୁଗୁଡା ଜିଲ୍ଲାରେ ସତର୍କ ରହିବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । କୋରାପୁଟ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, କଟକ, ମାଲକାନଗିରି ଓ ପୁରୀ ଜିଲ୍ଲାକୁ ଏଲୋ ୱାର୍ଣର୍ିଂ ଜାରି କରାଯାଇଛି । ବୁଧବାର ଦିନ ଏହିସବୁ ଜିଲ୍ଲାରେ ଅବିରାମ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ପ୍ରତିଫଳିତ ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।
ପ୍ରବଳ ବର୍ଷା ଓ ବିଭିନ୍ନ ନଦୀରେ ବନ୍ୟାଜଳ ଆସିବାରୁ ୯ଜଣଙ୍କ ମୃତୁ୍ୟ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଉପକୂଳ ଜିଲ୍ଲାରେ ବର୍ଷା କମିଯାଇଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରହିଛି । ମହାନଦୀର ଉପର ମୁନ୍ଦରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭନ୍ଦାର ଜଳସ୍ତର ବୃଦ୍ଧି ପାଉଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୧୮ଫୁଟରେ ପହଞ୍ଚôଥିବାବେଳେ ଏଠାରେ ବିପଦ ସଂକେତ ୬୩୦ଫୁଟ ରହିଛି । ବୁଧବାର ଦିନ ପୂର୍ବାହ୍ଣ ୧୧ଟାବେଳେ ହୀରାକୁଦ ଜଳଭନ୍ଦାରରୁ ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯିବ । ୭ନଂ ସୁଇଜ୍‌ ଗେଟ୍‌କୁ ପ୍ରଥମେ ଖୋଲାଯାଇ ୧୫ହଜାର ଘନଫୁଟ ଜଳ ନିଷ୍କାସନ କରାଯିବ । ପରେ ପରେ ଅନ୍ୟ ୩ଟି ସୁଇଜ୍‌ ଗେଟ୍‌ ଖୋଲାଯାଇ ଜଳ ଭନ୍ଦାରରୁ ପ୍ରତି ସେକେନ୍ଦରେ ୬୦ହଜାର ଘନଫୁଟ ପାଣି ଛଡାଯାଉଥିବାରୁ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର ବର୍ଷା ସ୍ଥିତିନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ବର୍ଷା ଦ୍ୱାରା ପ୍ରଭାବିତ କଳାହାନ୍ଦି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପରିସ୍ଥିତି ଉପରେ ନଜର ରଖି ସାହାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଏହିସବୁ ଜିଲାରେ ରିଲିଫ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ପ୍ରାପ୍ତ ବୟସ୍କଙ୍କୁ ୬୦ ଟଙ୍କା ଏବଂ ଛୋଟ ପିଲାଙ୍କୁ ୪୫ ଟଙ୍କା ଲେଖାଏଁ ଦିନକୁ ସହାୟତା ଦେବାକୁ ଜିଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବୁଧବାର ଦିନ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ୧୫ତାରିଖ ସୁଧା ମହାନଦୀର ଜଳସ୍ତର ବୃଦ୍ଧି ପାଇବ । ସେହିଦିନ ମୁନ୍ଦଳୀଠାରେ ମହାନଦୀରେ ୧୦ଲକ୍ଷ ଘନଫୁଟ ଜଳ ପ୍ରଭାବିତ ହେବ । ଏହାର ପ୍ରଭାବରେ ମହାନଦୀର ଶାଖା କାଠଯୋଡି, କୁଆଖାଇ, କୁଶଭଦ୍ରା, ଦେବୀ, ଦୟା ଓ ଭାର୍ଗବୀ ନଦୀରେ ବନ୍ୟାର ଜଳସ୍ତର ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ନୟାଗଡ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟାଜଳ ଆସୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ନଦୀ ଭିତରକୁ ଗୃହପାଳିତ ପଶୁଙ୍କୁ ନଛାଡିବାକୁ ସୂଚନା ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ନଦୀବନ୍ଧ ଗୁଡ଼ିକ ଉପରେ ୨୪ଘଣ୍ଟିଆ ପ୍ରହରା ଦିଆଯାଇ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିଦେ୍ର୍ଦଶ ଦେଇଛନ୍ତି ।
ରିଲିଫ କମିଶନର ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଭେଟିଲେ ଭାଜପା ପ୍ରତିନିଧି
ପଶ୍ଚିମ ଓଡିଶାର ବଲାଙ୍ଗିର, ସୋନପୁର, କଳାହାନ୍ଦି, କନ୍ଧମାଳ, ବରଗଡ ଆଦି ଜିଲ୍ଲାରେ ଗତ ୩ ଦିନର ପ୍ରବଳ ବର୍ଷା ପରେ ଏବେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଏହାର ମୁକାବିଲା କରିବା ସହ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ଓ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖରେ ତୁରନ୍ତ ରିଲିଫ ପହଂଚାଇବା ନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ଶ୍ରୀମତି ସିଂହଦେଓ କହିଛନ୍ତି ଯେ, ସୃଷ୍ଟି ହୋଇଥିବା ବନ୍ୟାରେ ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରବଳ ବର୍ଷା କାରଣରୁ ହରିଶଂକରଠାରେ ମାଟି ଅତଡା ଧସି ଯିବା କାରଣରୁ ବ୍ୟାପକ କ୍ଷତି ହୋଇଛି । ଅନେକ ଲୋକ ଏବେବି ପାଣି ଘେରରେ ଅଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାର ଆବଶ୍ୟକତା ଅଛି । ଜିଲ୍ଲାମାନଙ୍କୁ ଉଦ୍ଧାର ବୋଟ ଦେବାର ତୁରନ୍ତ ଆବଶ୍ୟକତା ଅଛି । ସେହିପରି ପ୍ରଭାବିତ ଲୋକମାନଙ୍କୁ ରିଲିଫ ଖାଦ୍ୟ ପହଂଚାଇବା ଜରୁରି ଅଛି । ବନ୍ୟା ପରବର୍ତ୍ତି ସମୟରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିବା ପାଇଁ ତୁରନ୍ତ ଚିକିସ୍ତ୍ରା ଦଳ ଯିବାର ଆବଶ୍ୟକତା ଅଛି । ଏସଡିଆରଏଫ ଟିମ ପଠାଇ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ । ଏ ସର୍ମ୍ପକରେ ସ୍ୱତନ୍ତ୍ର ରିଲିଫ କମିଶନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପ୍ରତିନିଧି ଦଳ ଦାବି କରିଥିଲେ । ପ୍ରତିନିଧି ଦଳ ସଚିବାଳୟ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ସଂପର୍କରେ ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା ମନମୋହନ ସାମଲ ଓ କନକ ବର୍ଦ୍ଧନ ସିଂହଦେଓ, ଭାଜପା ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ସାମିଲ ଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*