ୱିଇ ଆର୍‌- ୧୬୨ : ଏକତା ପାଇଁ ନେଲେ ଶପଥ ମୁମ୍ବାଇର ହୋଟେଲରେ ୩ ଦଳର ଶକ୍ତି ପ୍ରଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ଗ୍ରାନ୍ଦ ହାୟାତ, ମୁମ୍ବାଇ ସହର ତଳିର ଏକ ପ୍ରମୁଖ ସୌଖିନ ତାରକା ହୋଟେଲ । ସୋମବାର ସନ୍ଧ୍ୟାରେ ଏହି ହୋଟେଲ ଉପରେ ସାରା ଦେଶର ନଜର ଥିଲା । ଭର୍ତ୍ତି ହୋଇଯାଇଥିଲେ ମିଡିଆ କର୍ମୀ । ଯେଉଁ ହୋଟେଲ ଫ୍ୟାସନ ଶୋ’ର ଆୟୋଜନ ପାଇଁ ଖୁବ୍‌ ଲୋକପ୍ରିୟ ସେଠାରେ ସୋମବାର ସନ୍ଧ୍ୟାରେ ରାଜନୈତିକ ଶକ୍ତି ପ୍ରଦର୍ଶନ ହୋଇଥିଲା । ଭିନ୍ନ ଏକ ପ୍ୟାରେଡ୍‌ ଅନୁଷ୍ଠିତ ହୋଇଥିଲା ଏଠାରେ । ଆମ ପାଖରେ ବହୁମତ ଅଛି ବୋଲି ସମସ୍ତଙ୍କୁ ଖୋଲା ଦେଖାଇବା ପାଇଁ ନିଜ ଦଳର ବିଧାୟକମାନଙ୍କୁ ଏକାଠି କରାଇଥିଲେ ଶିବସେନା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ । ୱିଇ ଆର୍‌-୧୬୨, ବା ଆମ ପାଖରେ ୧୬୨ ବିଧାୟକ ଅଛନ୍ତି ବୋଲି ଦେଖାଇବା ଲାଗି ଏହି ଶକ୍ତି ପ୍ରଦର୍ଶନ କରାଯାଇଥିଲା । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢ଼ିବା ପାଇଁ ଅତିକମ୍‌ରେ ୧୪୫ ବିଧାୟକଙ୍କ ସମର୍ଥନ ଲୋଡ଼ା ପଡୁଥିଲା ବେଳେ ସୋମବାର ଏହି ତିନି ଦଳ ମେଣ୍ଟ ତାରକା ହୋଟେଲ୍‌ରେ ୧୬୨ଜଣଙ୍କୁ ଏକାଠି ବସାଇ ବଡ଼ ବକ୍ତବ୍ୟ ଦେଇଛନ୍ତି । ମଙ୍ଗଳବାର ସକାଳ ସାଢ଼େ୧୦ଟାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବଡ଼ ରାୟ ଆସିବାର କିଛି ଘଣ୍ଟା ଆଗରୁ ବିଧାୟକଙ୍କ ଏକଜୁଟତା ଦେଖାଇବା ଏହି ମେଣ୍ଟ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି । ଯଦି ସୋମବାର ସନ୍ଧ୍ୟାର ଏହି ଶକ୍ତି ପ୍ରଦର୍ଶନ ଫ୍ଲୋର୍‌ଟେଷ୍ଟ ପର୍ଯ୍ୟନ୍ତ କାଏମ୍‌ ରହେ ତା’ହେଲେ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ପଦରେ ବନିରହିବା ସମ୍ଭବ ହେବନାହିଁ । କେବଳ ୧୬୨ ବିଧାୟକଙ୍କୁ ଏକାଠି ଦେଖାଇ ଦିଆଯାଇ ନାହିଁ ୩ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହି ଭାଜପା ସହ ଲଢ଼ିବାକୁ ରଣହୁଙ୍କାର ଦେଇଛନ୍ତି । କାର୍ଯ୍ୟକ୍ରମ ସରିବା ପୂର୍ବରୁ ବିଧାୟକମାନେ ନିଜ ଦଳ ପ୍ରତି ସମର୍ପିତ ରହିବା, ଲାଳସାରେ ନ ଆସିବାର ଶପଥ ମଧ୍ୟ ନେଇଥିଲେ ।
ଆମେ ୧୬୨ ଅଛୁ ବୋଲି ବଡ଼ ବଡ଼ ପୋଷ୍ଟର ଲଗାଥିବା ହଲ୍‌ରେ ବିଧାୟକମାନେ ଏକଜୁଟ୍‌ ହେବା ପରେ ପ୍ରବେଶ କରିଥିଲେ ବରିଷ୍ଠ ନେତାମାନେ । ସେମାନଙ୍କ ଭିତରେ ପ୍ରମୁଖ ଥିଲେ ରାକପା ସୁପ୍ରିମୋ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଥାକ୍‌ରେ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ, ଅଶୋକ ଚଭନ, ରାକପା ନେତା ପ୍ରଫୁଲ୍ଲ ପଟେଲ, ସୁପ୍ରିୟା ସୁଲେ ଏବଂ ଶିବସେନା ନେତା ଆଦିତ୍ୟ ଥାକ୍‌ରେ ତଥା ସଂଜୟ ରାଉତ । ସବୁ ଦଳର ନେତାମାନେ ମିଳିତ ବିଧାୟକମାନଙ୍କୁ ସମ୍ବୋଧିତ କରିଥିଲେ । ଶେଷରେ କହିବାକୁ ଉଠିଥିବା ଶରଦ ପାୱାର ତାଙ୍କ ଚିରାଚରିତ ଠାଣିରେ ଏବେ ଗୃହ ମଧ୍ୟରେ ଶକ୍ତି ପ୍ରଦର୍ଶନ ଲାଗି ତୟାର ହୁଅନ୍ତୁ ବୋଲି ଦେଇଥିଲେ ମତ । ସେ ଭାଜପା ଉପରେ କଟାକ୍ଷ କରି କହିଥିଲେ, କେନ୍ଦ୍ରରେ ଥିବା ଲୋକେ ବହୁ ରାଜ୍ୟରେ ବହୁ ମତ ନଥାଇ ମଧ୍ୟ ସରକାର ଗଢ଼ିଛନ୍ତି । କର୍ଣ୍ଣାଟକ, ଗୋଆ ଏବଂ ମଣିପୁରରେ କ୍ଷମତାର ଅପବ୍ୟବହାର କରିଛି ଭାଜପା । ଏଠାରେ ଉପସ୍ଥିତ ଥିବା ୧୬୨ଙ୍କ ବାଦେ ଆହୁରି ଅନେକ ବିଧାୟକ ଆମକୁ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛନ୍ତି । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଆମଲାଗି ଅଡୁଆ ହେବ ନାହିଁ ବୋଲି ଶରଦ ଘୋଷଣା କରିଥିଲେ । ଏହା ଗୋଆ ନୁହେଁ, ଏହା ମହାରାଷ୍ଟ୍ର ବୋଲି କହିଥିଲେ ପାୱାର । ସେହିପରି ୩ ମେଣ୍ଟର ବିଧାୟକମାନଙ୍କୁ ସମ୍ବୋଧିତ କରି ଉଦ୍ଧବ କହିଥିଲେ, ଆମ ମେଣ୍ଟର ଶକ୍ତି କୌଣସି କ୍ୟାମେରା ଲେନ୍ସ ଭିତରେ ବନ୍ଦୀ ହୋଇପାରିବ ନାହିଁ । ଆମେ ଏଠାରେ ଏକାଠି ହୋଇଛେ ଆମ ପଥକୁ ଆଉ ଟିକେ ସଫା କରିଦେବା ସକାଶେ । ଯେଉଁମାନେ ଶିବସେନାର ଶକ୍ତି ଜାଣିନାହାନ୍ତି ଆମେ ତାଙ୍କୁ ଆମର ଅସଲ ଶକ୍ତି ଦେଖାଇଦେବୁ । ଖାଲି ୫ବର୍ଷ ହେଲା ଆମେ ଏଠାରେ ନାହୁଁ । ମହାରାଷ୍ଟ୍ର ଆରମ୍ଭ ବେଳରୁ ଆମେ ଅଛୁ ବୋଲି କହିଥିଲେ ଉଦ୍ଧବ । ସିନିଅର ଶିବସେନା ନେତା ସଂଜୟ ରାଉତ ରାଜ୍ୟପାଳ କୋଶିୟାରୀଙ୍କୁ ଆହ୍ୱାନ ଦେଇ କହିଥିଲେ, ଏଠାକୁ ଆସି ଆମର ମିଳିତ ଶକ୍ତି ଦେଖନ୍ତୁ । ତେବେ ଏହି ଶକ୍ତି ପ୍ରଦର୍ଶନର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା । ଦଳ ଜଣେ ପ୍ରମୁଖ ନେତା ଆଶିଷ ସେଲର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେମାନେ ୧୬୨ ବିଧାୟକଙ୍କ ଉପସ୍ଥିତି ବିଷୟ କହୁଛନ୍ତି, ହେଲେ ସେଠାରେ ୧୪୫ ବିଧାୟକ ଅଛନ୍ତି ତ? ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*