୯୨ ବର୍ଷରେ ୯୨ର ମହାନାୟକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ:ନୂଆଦିଲ୍ଲୀ

ଅଯୋଧ୍ୟା ଆନ୍ଦୋଳନ ସହ ଭାରତ ବର୍ଷରେ ରାଜନୀତିକୁ ନୂଆ ଧାରା ତଥା ହିନ୍ଦୁତ୍ୱର ରାଜନୀତିକୁ ଜନ୍ମ ଦେଇଥିବା ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡ୍‌ଭାନୀ ଶୁକ୍ରବାର ୯୨ ବର୍ଷରେ ପଦାର୍ପଣ କରିଛନ୍ତି । ଭାଜପାର ପିତାମହ କୁହାଯାଉଥିବା ଆଡଭାନୀ ୧୯୯୨ ଅଯୋଧ୍ୟା ଆନ୍ଦୋଳନର ମହାନାୟକ ଥିଲେ । ଆଜି ରାଜନୀତିରୁ ଏକରକମ୍‌ ଦୂରେଇ ରହିଛନ୍ତି ଆଡଭାନୀ । ମାତ୍ର ବିଡ଼ମ୍ବନାର ବିଷୟ ୯୨ର ଏହି ମହାନାୟକ ଆଡଭାନୀ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ସେହି ଆନ୍ଦୋଳନର ନିଷ୍ପତ୍ତି ଆସନ୍ତା କିଛି ଦିନ ମଧ୍ୟରେ ନେବାକୁ ଯାଉଛନ୍ତି ସୁପ୍ରିମକୋର୍ଟ ।
ଅବିଭାଜିତ ଭାରତର ସିନ୍ଧପ୍ରାନ୍ତରେ ୧୯୨୭ ନଭେମ୍ବର ୮ରେ ଜନ୍ମଗ୍ରହଣ କରିଥିଲେ ଲାଲକୃଷ୍ଣ । କରାଚିର ସ୍କୁଲରେ ଏବଂ ସିନ୍ଧର କଲେଜରେ ପାଠ ପଢିଥିବା ଲାଲକୃଷ୍ଣ ଭାରତ ବିଭାଜନ ପରେ ନିଜ ପରିବାର ସହ ଚାଲିଆସିଥିଲେ ମୁମ୍ବାଇ । ସେଠାରେ ଲ’ ଶିକ୍ଷା ଆରମ୍ଭ କରିଥିଲେ । ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ ସଂଘରେ ।
୧୯୫୧ରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ସ୍ଥାପିତ ଜନସଂଘରେ ସାମିଲ ହୋଇଥିବା ଲାଲକୃଷ୍ଣ ୧୯୭୭ରେ ଜନତା ଦଳ ଏବଂ ୧୯୮୦ରେ ଭାଜପାରେ ସାମିଲ ହୋଇଥିଲେ । ଭାଜପାରେ ସାମିଲ ହେବା ପରେ ଭାରତୀୟ ରାଜନୀତିର ଧାରା ବଦଳିବା ଆରମ୍ଭ ହୋଇଥିଲା । ଆଧୁନିକ ଭାରତରେ ହିନ୍ଦୁତ୍ୱର ରାଜନୀତିକୁ ପ୍ରୟୋଗ କରିଥିଲେ ଲାଲକୃଷ୍ଣ । ଆଉ ଏହା ମଧ୍ୟ ସଫଳ ହୋଇଥିଲା । ୧୯୮୪ରେ ମାତ୍ର ଦୁଇଟି ଆସନରୁ ଯାତ୍ରା ଆରମ୍ଭ କରିଥିବା ଭାଜପା ୨୦୧୯ରେ ଲୋକସଭାରେ ୩୦୩ଟି ଆସନରେ ପହଞ୍ଚିଛି ।
ରଥଯାତ୍ରାର ରଣନୀତିକାର: ୧୯୮୦ ମସିହାରୁ ଯଦିଓ ବିଶ୍ୱ ହିନ୍ଦୁ ପରିଷଦ ରାମ ଜନ୍ମଭୂମି ଆନ୍ଦୋଳନ କରିଥିଲା ତେବେ ଏହି ଆନ୍ଦୋଳନକୁ କୌଣସି ବଡ଼ ରାଜନୈତିକ ଦଳର ସମର୍ଥନ ମିଳିନଥିଲା । ଆଉ ଏହି ମଉକାକୁ ଭଲ ଭାବେ ଠଉରାଇ ନେଇଥିଲେ ଲାଲକୃଷ୍ଣ । ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଭାଜପା ଜିତିଥିଲା ମାତ୍ର ଦୁଇଟି ଆସନ । ୧୯୮୯ରେ ଭାଜପା ଏହି ରାମ ଜନ୍ମଭୂମି ଆନ୍ଦୋଳନକୁ ଔପଚାରିକ ଭାବେ ସମର୍ଥନ ଦେବା ଆରମ୍ଭ କଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଦଳ ନିଜ ଘୋଷଣା ପତ୍ରରେ ସାମିଲ କରିବା ସହ ଖୋଲାଖୋଲି ଏହାର ସମର୍ଥନରେ ଆସିଥିଲେ ଲାଲକୃଷ୍ଣ ଆଡଭାନୀ । ଏହି କାରଣରୁ ଭାଜପାର ଆସନ ପରବର୍ତ୍ତୀ ଲୋକସଭା ନିର୍ବାଚନରେ ୨ରୁ ୮୬କୁ ବଢିଥିଲା । ଜନ ସମର୍ଥନକୁ ଦୃଷ୍ଟିରେ ରଖି ଆଡଭାନୀ ସମ୍ପୂର୍ଣ୍ଣ ଭାବେ ନିଜକୁ ଏହି ଆନ୍ଦୋଳନରେ ସାମିଲ କରିଦେଲେ । ନିଜର ରଣନୀତି ଅନ୍ତର୍ଗତ ଆରମ୍ଭ କଲେ ରଥଯାତ୍ରା । ଗୁଜୁରାଟର ସୋମନାଥ ମନ୍ଦିରରୁ ରାମ ମନ୍ଦିର ନିର୍ମାଣ ପାଇଁ ସମର୍ଥନ ସଂଗ୍ରହ ନିମନ୍ତେ ୧୯୯୦ ସେପ୍ଟେମ୍ବର ୨୫ରେ ଆରମ୍ଭ କରିଥିଲେ ରଥଯାତ୍ରା । ନିଜର ତେଜସ୍ୱୀ ଭାଷଣ କାରଣରୁ ସେ ବନଯାଇଥିଲେ ହିନ୍ଦୁତ୍ୱର ନାୟକ । ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଆଡଭାନୀଙ୍କ ଲୋକପ୍ରିୟତା ଜବରଦସ୍ତ ବଢିଥିଲା । ଏହି ରଥଯାତ୍ରା ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଯେତେବେଳେ ରଥଯାତ୍ରା ବିହାରର ସମସ୍ତିପୁରରେ ପହଞ୍ଚିଥିଲା ସେତେବେଳେ ଅର୍ଥାତ ଅକ୍ଟୋବର ୨୩ରେ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ଗିରଫ ହୋଇଥିଲେ ସେ ।
୧୯୯୨ର ଘଟଣା:ଆଡଭାନୀଙ୍କ ରଥଯାତ୍ରା ଶେଷ ହେବା ସହ ୧୯୯୧ ଲୋକସଭା ନିର୍ବାଚନରେ ଭାଜପାର ଆସନ ସଂଖ୍ୟା ପହଞ୍ଚିଥିଲା ୧୨୦ରେ । ୧୯୯୨ରେ ଅଯୋଧ୍ୟା ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିଲା । ସେତେବଳେ ଉତ୍ତରପ୍ରଦେଶରେ ଭାଜପାର ସରକାର ଆଉ ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ । ଡିସେମ୍ବର ୬, ୧୯୯୨ରେ ହଜାର ହଜାର ସଂଖ୍ୟକ କର ସେବକ ଅଯୋଧ୍ୟାରେ ଉପସ୍ଥିତ ଥିଲା ବେଳେ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା । କର ସେବକଙ୍କ ସହ ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, ମୂରଲୀ ମନୋହର ଯୋଶୀଙ୍କ ଭଳି ନେତାମାନେ ମଧ୍ୟ ଉପସ୍ଥିତ ଥିଲା ବେଳେ ଭାଙ୍ଗିଥିଲା ବାବ୍ରି ମସଜିଦ୍‌ । ଏହି ମାମଲା ଏବେ ବି ଲାଲକୃଷ୍ଣଙ୍କ ଉପରେ ଚାଲିଛି ।
ରାମ ମନ୍ଦିର ଆନ୍ଦୋଳନର ଲୋକପ୍ରିୟ ନେତା ରହିବା ସତ୍ୱେ ୫୦ ବର୍ଷର ସଂସଦୀୟ ରାଜନୀତିରେ ଭାଜପାର ନମ୍ବର ୨ ନେତା ଥିଲେ ଆଡଭାନୀ । ୧୯୯୫ରେ ଆଡଭାନୀ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ । ୧୯୯୬ରେ ହାୱାଲା କାନ୍ଦରେ ଆଡଭାନୀଙ୍କ ନା ଆସିଥିଲା । ନିଜ ଉପରେ ଆଙ୍ଗୁଳି ଉଠିବା ପୂର୍ବରୁ ସଂସଦର ସଦସ୍ୟତାରୁ ସେ ଇସ୍ତଫା ଦେଇଥିଲେ । ପରେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ଆଡଭାନୀ ।
ଆଜି ଆଡଭାନୀଙ୍କୁ ୯୨ ବର୍ଷ । ସାମାଜିକ ଏବଂ ରାଜନୈତିକ ଜୀବନ ଧାରାରୁ ସେ ଏବେ ନିଜକୁ ଦୂରେଇ ରଖିଛନ୍ତି । ସୋସିଆଲ ମିଡିଆଠାରୁ ମଧ୍ୟ ଦୂରରେ ଅଛନ୍ତି ସେ । ଏହା ସତ୍ତ୍ୱେ ଦେଶର ଇତିହାସ, ବଦଳି ଥିବା ଦେଶର ରାଜନୀତିର ଘଟଣାକ୍ରମର ଐତିହାସିକ ସାକ୍ଷୀ ଭାବେ ସେ ବେଶ ପରିଚିତ । ଶୁକ୍ରବାର ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନର କାମନା କରିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*