୯୧ ଜେଲ୍‌ରୁ ୫୩ରେ ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ଥା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ପାରିବାରିକ ହିଂସା ଭଳି ସଙ୍ଗିନ ମାମଲାରେ ଅପରାଧୀମାନେ ଜେଲ୍ ଯାଉଛନ୍ତି । ଏନେଇ ଜେଲ୍ରେ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପ୍ରକାଶ ପାଇଥିବା ଏନ୍ସିଆର୍ବି ରିପୋର୍ଟ ଅନୁସାରେ, ୨୦୧୮ରେ କଏଦୀଙ୍କ ସଂଖ୍ୟା ୧୬ହଜାର ୫୦୧ ଥିବାବେଳେ ଏହା ୨୦୧୯ରେ ବୃଦ୍ଧି ହୋଇ ୧୭ହଜାର ୫୬୩ ଛୁଇଁଛି । ୨୦୧୮ ତୁଳନାରେ ୨୦୧୯ରେ କଏଦୀଙ୍କ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୨୦୧୭ ମସିହାରେ ରାଜ୍ୟରେ ୧୫ହଜାର ୨୨୩ଜଣ କଏଦୀ ରହୁଥିଲେ । ଏହି ୩ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ରାଜ୍ୟରେ ଅପରାଧ ଦୃତଗତିରେ ବଢୁଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ରାଜ୍ୟରେ ସମୁଦାୟ ୯୧ଟି ଜେଲ୍ ରହିଛି । ଏଥିମଧ୍ୟରେ ୫ଟି ସେଂଟାଲ ଜେଲ୍, ୯ଟି ଜିଲ୍ଲା କାରାଗାର, ୭୩ଟି ସବ୍-ଜେଲ୍, ଗୋଟିଏ ମହିଳା ଜେଲ୍, ଗୋଟିଏ ଓପେନ୍ ଜେଲ୍, ୨ଟି ସ୍ୱତନ୍ତ୍ର ଜେଲ୍ ଅଛି । ଏହି ଜେଲ୍ ଗୁଡ଼ିକରେ ୨୦୧୯ ଡିସେମ୍ବର ସୁଦ୍ଧା ୧୭ହଜାର ୫୬୩ ଜଣ କଏଦୀ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୭୨୫ଜଣ ଦୋଷୀସାବ୍ୟସ୍ତ କଏଦୀ ରହୁଥିବାବେଳେ, ୧୩ହଜାର ୮୦୩ଜଣ ବିଚାରଧୀନ କଏଦୀ ଅଛନ୍ତି । ଦୋଷୀସାବ୍ୟସ୍ତ କଏଦୀଙ୍କ ମଧ୍ୟରେ ୩୫୯୮ଜଣ ପୁରୁଷ ଓ ୧୨୭ଜଣ ମହିଳା ସଜା କାଟୁଛନ୍ତି । ସେହିପରି ବିଚାରଧୀନ କଏଦୀଙ୍କ ମଧ୍ୟରେ ୧୩ହଜାର ୩୪୩ଜଣ ପୁରୁଷ ଓ ୪୬୦ଜଣ ମହିଳା କଏଦୀ ରହୁଛନ୍ତି । ସେହିପରି ୨୪ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି । ରାଜ୍ୟର ସେଂଟାଲ ଜେଲ୍ ଗୁଡ଼ିକରେ ୩୧୨୬ଜଣ ରହିବାକୁ ଜାଗା ଥିବାବେଳେ ୩୮୫୯ଜଣ ରହୁଛନ୍ତି । ଜିଲ୍ଲା କାରାଗାର ଗୁଡ଼ିକରେ ୩୫୪୩ଜଣ ରହିବାକୁ ଥିବାବେଳେ ୩୯୪୯ଜଣ ରହୁଛନ୍ତି । ସବ୍-ଜେଲ୍ ଗୁଡ଼ିକରେ ୧୦ହଜାର ୮୯୧ଜଣ କଏଦୀ ରହିବାକୁ ଜାଗା ଥିବାବେଳେ ୮୪୨୩ଜଣ, ମହିଳା ଜେଲ୍ରେ ୫୫ଜଣ ରହିବାକୁ ଥିବାବେଳେ ୨୬ଜଣ ଏବଂ ଓପେନ୍ ଜେଲ୍ରେ ୧୨୫ଜଣ ରହିବାକୁ ଜାଗା ଥିବାବେଳେ ୭୦ଜଣ କଏଦୀ ରହୁଛନ୍ତି । ସେହିପରି ସ୍ପେଶାଲ ଜେଲ୍ ଗୁଡ଼ିକରେ ୧୫୫୧ଜଣ ରହିବାକୁ ଥିବାବେଳେ ୧୨୩୬ଜଣ ରହୁଛନ୍ତି । ତେବେ ରାଜ୍ୟର ଜେଲ୍ ଗୁଡ଼ିକରେ ସମୁଦାୟ ୧୯ହଜାର୨୯୧ ଜଣ କଏଦୀଙ୍କ ପାଇଁ ରହିବାର ବ୍ୟବସ୍ଥା ଥିବାବେଳେ ୧୭ହଜାର ୫୬୩ଜଣ କଏଦୀ ଅଛନ୍ତି । ହେଲେ ରାଜ୍ୟର ଜିଲ୍ଲା କାରାଗାର ଓ ସେଣ୍ଟ୍ରାଲ୍ ଜେଲ୍ ଗୁଡ଼ିକରେ ଆବଶ୍ୟକ ଅନୁସାରେ ଅଧିକ କଏଦୀ ରହୁଛନ୍ତି । ଯେଉଁଥିପାଇଁ ସେଠାରେ ରହିବା ପାଇଁ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କଏଦୀଙ୍କମାନଙ୍କ ରକ୍ଷଣାବେକ୍ଷଣ ପାଇଁ ୨୦୧୯-୨୦ ଆର୍ଥୀକ ବର୍ଷରେ ୧୯୯କୋଟି ଟଙ୍କା ମଞ୍ଜୁରି ହୋଇଥିବା ବେଳେ ୧୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ୨୦୧୮-୧୯ରେ ୨୦୨.୪କୋଟି ଟଙ୍କା, ୨୦୧୭-୧୮ରେ ୨୦୧.୬କୋଟି ଟଙ୍କା ମଞ୍ଜୁରି ମିଳିଥିଲା । ଅନ୍ୟପକ୍ଷରେ ରାଜ୍ୟରେ ସମୁଦାୟ ୯୧ଟି ଜେଲ୍ ଥିବା ବେଳେ ୫୩ଟି କାରାଗାରରେ ଭିଡିଓ କନ୍ଫେରେନ୍ସି ବ୍ୟବସ୍ଥା ରହିଛି । ୫ଟି ସେଟାଂଲ୍ ଜେଲରେ ଭିଡ଼ିଓ କନ୍ଫେରେନ୍ସି ବ୍ୟବସ୍ଥା ଥିବା ବେଳେ ୬ଟି ଜିଲ୍ଲା କାରାଗାରରେ ଏହି ବ୍ୟବସ୍ଥା ଅଛି । ସେହିପରି ୩୯ଟି ସବ୍-ଜେଲ୍, ଗୋଟିଏ ମହିଳା ଜେଲ୍ ଓ ୨ଟି ସ୍ୱତନ୍ତ୍ର ଜେଲ୍ରେ ଭିଡ଼ିଓ କନ୍ଫେରେନ୍ସି ବ୍ୟବସ୍ଥା ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*