୭୫ ମିଟରର ରହସ୍ୟ କ’ଣ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଶ୍ରୀମନ୍ଦିର ଚାରିପଟେ ୭୫ମିଟର ଯାଏଁ ସବୁ ଭଙ୍ଗାଭଙ୍ଗି ହବ । କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇସାରିଛି । ସୋମବାରଦିନ ଆରମ୍ଭ ହେଇଛି ଭଙ୍ଗାରୁଜାର ପ୍ରଥମ ପର୍ବ । କହିଲେ ସରକାରୀ ଅଫିସ୍‌ ଭାଙ୍ଗିଛନ୍ତି ପ୍ରଶାସନ । ଯେମିତି ଲୋକେ ବୁଝିବେ ଯେ, ସରକାରୀ ଓ ବେସରକାରୀ ଭିତରେ ନାହିଁ କିଛି ବାଛବିଚାର । କିନ୍ତୁ ଏତେବଡ଼ ନିଷ୍ପତ୍ତି ପରେ ବି ଶଙ୍କରାଚାର୍ଯ୍ୟ ଓ ଗଜପତି ମୁହଁ ଖୋଲୁନାହାଁନ୍ତି କିଆଁ? ଭଲ ହଉ କି ମନ୍ଦ, ସେମାନେ କିଛି କହିବା କଥା । ଯଦି ଭଙ୍ଗାଭଙ୍ଗି ଠିକ୍‌, ତେବେ ସେମାନେ ଜନତାଙ୍କୁ ବୁଝାଇ ଦବା ଉଚିତ୍‌ ଯେ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ଲାଗି ଏହା ଜରୁରୀ । ଯଦି ଭୁଲ୍‌, ତେବେ ସରକାରଙ୍କୁ ସେମାନେ ତାଗିଦ୍‌ କରିଦବା ଉଚିତ୍‌ । ହେଲେ କରୁନାହାଁନ୍ତି କାହିଁକି?
ନିନ୍ଦୁକଙ୍କ କହିବା କଥା ଯେ, କିଛି ଦିନ ଆଗରୁ ମନ୍ଦିର ମୁଖ୍ୟ ପ୍ରଶାସକ ମହାପାତ୍ରେ ନିଶ୍ଚଳାନନ୍ଦଙ୍କ ସହ କବାଟକିଳା ବଇଠକୀ କରିଥିଲେ । ହୁଏତ କିଛି ଡିଲ୍‌ ଡାଲ୍‌ ହେଇଥିବ । କିନ୍ତୁ ଗଜପତି ପୂରା ନିଦାବିଷ୍ଣୁ କାହିଁକି? ସେ ତ ଚଳନ୍ତି ବିଷ୍ଣୁ!
ଆମ ଦିମାଗକୁ ମଧ୍ୟ ପଶୁନାହିଁ ଯେ ୭୫ ମିଟର ଫାଇନାଲ କଲା କିଏ ଓ କେମିତି? ୭୦ ମିଟର କାହିଁକି ହେଲା ନାହିଁ? କାହିଁକି ହେଲା ନାହିଁ ୮୦ମିଟର? ୭୫ ମିଟର ଭିତରେ ସବୁ ଭାଙ୍ଗିବା ପାଇଁ କେଉଁ ମାପକାଠି ଆଧାରରେ ସ୍ଥିର କରାଗଲା? ଏହି ୭୫ ଭିତରେ କୁଆଡେ ପଶିଛି କେଁ । ଶ୍ରୀନଅର ପାଇଁ ହଁ କୁଆଡେ ଏହି ୭୫ମିଟରିଆ ଯୋଜନା । ୭୫ ମିଟର ହେଲା ବେଳକୁ ପଡିଯାଉଛି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିବା ଶ୍ରୀନଅର । ଗଜପତି ସେଠି ରହୁନାହାଁନ୍ତି । ନୀତି ପାଇଁ ଭୁବନେଶ୍ୱରରୁ ଯାଆନ୍ତି ପୁରୀ । ଏହି ଐତିହ୍ୟ ସମ୍ପନ୍ନ ଶ୍ରୀନଅର ଶ୍ରୀଶୂନ୍ୟ ହେଇଗଲାଣି । ତେଣୁ ପ୍ରଶାସନିକ ଉଦ୍ୟମରେ ଭଙ୍ଗା ହେଲେ ଫାଇଦା ଅଧିକ । ଏକେତ ୫ଗୁଣା କ୍ଷତି ପୂରଣ ମିଳିବ । ଏହାଦ୍ୱାରା ଶ୍ରୀନଅରର ନବକଳେବର ହେଇଯିବ । ଲୋକେ ବି ପାଟି ଫିଟେଇ ପାରିବେ ନାହିଁ । ଶ୍ରୀନଅର ତ ଭଙ୍ଗା ଯାଉଛି, ଦୋକାନ,ବଜାର,ମଠ,ଖଟ ଭଙ୍ଗା ହେଲେ କ୍ଷତି କ’ଣ?
ଏହି ୭୫ ମିଟର ଭିତରେ ଏତେ ଗହନ କଥା ଛପି ରହିଛି ବୋଲି ଆମର ଧାରଣା ନଥିଲା । ଯଉଁ ନିନ୍ଦୁକମାନେ ଆମକୁ ଏହି ଦିବ୍ୟଜ୍ଞାନ ଦେଇଛନ୍ତି, ସେମାନଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ । କିଏ ବା ଅଛି କଉଁ ମତେ, ଏ ମୁର୍ଖ ଜାଣିବ କେମନ୍ତେ! ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ମନ ଭିତରେ କ’ଣ ଥିବ ସେକଥା ମହାପୁରୁ ଜାଣିଥିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*